ଏପ୍ରିଲ୍ ମାସରେ ଶେଷ ହେବ ମହାନଦୀ ଟ୍ରିବ୍ୟୁନାଲର କାର୍ୟ୍ୟକାଳ
ଭୁବନେଶ୍ୱର: ମହାନଦୀ ଟ୍ରିବ୍ୟୁନାଲକୁ ନେଇ ଆଶଙ୍କା। ଟ୍ରିବ୍ୟୁନାଲ୍ କାର୍ୟ୍ୟକାଳ ବଢ଼ାଇବାକୁ ଲିଖିତ ଦେଉନାହାନ୍ତି ସରକାର। ଆପୋସ ସମାଧାନ ବାଟ ବି ଆଗେଇନି। ମହାନଦୀ ଟ୍ରିବ୍ୟୁନାଲର କାର୍ୟ୍ୟକାଳ ଆସନ୍ତା ଏପ୍ରିଲ୍ ମାସରେ ଶେଷ ହେବ। ହେଲେ ଟ୍ରିବ୍ୟୁନାଲ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍କର୍ସରେ ପହଞ୍ଚିନାହାନ୍ତି। କିନ୍ତୁ ଟ୍ରିବ୍ୟୁନାଲର କାର୍ୟ୍ୟକାଳ ବଢ଼ାଇବାକୁ ଓଡ଼ିଶା ସରକାର ଲିଖିତ ଭାବେ କେନ୍ଦ୍ରକୁ ଜଣାଇନାହାନ୍ତି। ଛତିଶଗଡ଼ ସରକାର ବି ନିରବ ଅଛନ୍ତି। ଫଳରେ ଟ୍ରିବ୍ୟୁନାଲର ଭବିଷ୍ୟତ ନେଇ ଆଶଙ୍କା ଦେଖାଦେଇଛି। ଏପଟେ ଦୁଇ ରାଜ୍ୟ ମଧ୍ୟରେ ଆପୋସ ସମାଧାନର ବାଟ ମଧ୍ୟ ଆଗେଇ ପାରିନାହିଁ।
ଗତ ୧୮ ତାରିଖରେ ହୋଇଥିବା ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକରେ କୁହାଯାଇଥିଲା ଯେ, ଟ୍ରିବ୍ୟୁନାଲ୍ କାର୍ୟ୍ୟକାଳ ଅବଧି ବଢ଼ାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଛି। ୯ ମାସ ଧରି ଟ୍ରିବ୍ୟୁନାଲର ଅଧ୍ୟକ୍ଷ ପଦ ଖାଲି ପଡ଼ିଥିବାରୁ ଟ୍ରିବ୍ୟୁନାଲର କାର୍ୟ୍ୟରେ ଅଗ୍ରଗତି ହୋଇ ନଥିଲା। ତେଣୁ ଆଉ ଏକ ବର୍ଷ ଦରକାର ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା। କିନ୍ତୁ ଟ୍ରିବ୍ୟୁନାଲର ରେଜିଷ୍ଟ୍ରାର ଓଡ଼ିଶା ସରକାରଙ୍କ ଓକିଲଙ୍କ ପାଖକୁ ଲେଖିଥିବା ପତ୍ର ଭିନ୍ନ ତଥ୍ୟ ଦର୍ଶାଉଛି। ଏଥିରେ କୁହାଯାଇଛି, ମହାନଦୀ ଟ୍ରିବ୍ୟୁନାଲର କାର୍ୟ୍ୟକାଳ ବଢ଼ାଇବା ଲାଗି ଉଭୟ ରାଜ୍ୟ ଚଳିତମାସର ପ୍ରଥମ ସପ୍ତାହରେ ଲିଖିତ ଭାବେ ଏ ସଂପର୍କରେ ଜଣାଇବା ପାଇଁ ଧାର୍ୟ୍ୟ ହୋଇଥିଲା। ମାତ୍ର ଦୁଇ ରାଜ୍ୟ ଏ ପର୍ୟ୍ୟନ୍ତ କୌଣସି ପଦକ୍ଷେପ ନେଇ ନାହାନ୍ତି। ଏହାକୁ ନେଇ ଟ୍ରିବ୍ୟୁନାଲ ଉଭୟ ରାଜ୍ୟ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି।
Powered by Froala Editor