-୧ ଡିଗ୍ରୀରେ ପହଞ୍ଚିଲା ଶିମିଳିପାଳ ତାପମାତ୍ରା
ରାଇରଙ୍ଗପୁର: ଅସମ୍ଭାଳ ଶୀତ ଲହରୀରେ ଥରୁଛି ମୟୂରଭଞ୍ଜ ଜିଲ୍ଲା । ଶିମିଳିପାଳରେ ତାପମାତ୍ରା ହ୍ରାସ ପାଇ -୧ ଡିଗ୍ରୀରେ ପହଞ୍ଚିଛି । ଏହା 12 ବର୍ଷର ରେକର୍ଡ ଭାଙ୍ଗିଛି । 2014 ମସିହା ପରେ ଶିମିଳିପାଳରେ ଶୂନ ଡିଗ୍ରୀ ତଳକୁ ଖସି ନଥିଲା ପାରଦ । ଗତ ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ଉପର ବାରହାକାମୁଡ଼ାରେ ତାପମାତ୍ରା ଶୂନ ଡିଗ୍ରୀ ରହିଥିଲା । ବିଭିନ୍ନ ଅଞ୍ଚଳରେ କାକର ଜମି ତୁଷାର ପାତର ଭ୍ରମ ସୃଷ୍ଟି କରୁଛି । ଏହି ସୂଚନା ଦେଇଛନ୍ତି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡ. ପ୍ରକାଶ ଚାନ୍ଦ ଗୋଗିନେନୀ ।ସାରା ରାଜ୍ୟରେ ପାରଦ ନିମ୍ନଗାମୀ ହୋଇଛି । ଶିମିଳିପାଳରେ ଜାଡ଼ର ପ୍ରଭାବ ଅସମ୍ଭାଳ ହୋଇପଡୁଛି । ଶୀତ କଷ୍ଟକୁ ଲାଘବ କରିବା ପାଇଁ ଲୋକେ ଗରମ ପୋଷାକ ଘୋଡାଇ ରହିବା ସହ ନିଆଁ ଜାଳି ଶୀତକଷ୍ଟକୁ ଲାଘବ କରୁଛନ୍ତି । ଜିଲ୍ଲାରେ ପ୍ରଦୂଷିତ ବାୟୁ ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବ ବର୍ଷତମାମ ଦେଖିବାକୁ ମିଳିଛି । ଖରାଦିନେ ଉତ୍ତପ୍ତ ସହର ଭାବେ ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହର ରେକର୍ଡ କରିଛି । ଚଳିତ ବର୍ଷ ୬ ମାସ ଧରି ଅନବରତ ବର୍ଷା ଲାଗି ରହିଥିଲା । ଏପରିକି ଶୀତ ଦିନେ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଥିବା ବେଳେ ତାପମାତ୍ରା କ୍ରମଶଃ ହ୍ରାସ ପାଇ ଶୂନ ଡିଗ୍ରୀ ତଳକୁ ଖସିଛି ।ଆଜି ଉପରବରାହକାମୁଡାରେ -୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ, ଶିମିଳିପାଳ ଅଭୟାରଣ୍ୟରେ ଘାସ ଗାଲିଚା ଏବଂ ଗଛ ପତ୍ର ଉପରେ ତୁଷାରର ଆସ୍ତରଣ ଦେଖିବାକୁ ମିଳୁଛି ।
Powered by Froala Editor