୧୨ରେ ଅନୁଷ୍ଠିତ ହେବ ପ୍ରାକ୍ ବଜେଟ ଆଲୋଚନା
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୬-୨୭ ଆର୍ଥିକବର୍ଷ ଲାଗି ନୂତନ ବଜେଟ ପ୍ରସ୍ତୁତି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। କେଉଁଦିନ କେଉଁ ବିଭାଗର ବଜେଟ ଆଲୋଚନା ହେବ ସେନେଇ ଯୋଜନା ଓ ସଂଯୋଜନ ବିଭାଗ ସ୍ୱତନ୍ତ୍ର ସଚିବ ଡି.କେ. ଜେନା ଜାନୁଆରୀ ୬ରେ ସମସ୍ତ ବିଭାଗକୁ ପତ୍ର ଲେଖି ଅବଗତ କରାଇଛନ୍ତି।
ସୂଚନା ଅନୁଯାୟୀ, ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଜାନୁଆରୀ ୧୨ରେ ଅନୁଷ୍ଠିତ ହେବାକୁଥିବା ପ୍ରାକ୍ ବଜେଟ ଆଲୋଚନାରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର ଓ ସଂପୃକ୍ତ ବିଭାଗ ସଚିବ ଏବଂ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ। ଏହି ପ୍ରକ୍ରିୟାରେ ୧୨ ତାରିଖ ପୂର୍ୱାହ୍ନ ୧୧ଟାରୁ ଅପରାହ୍ନ ସାଢ଼େ ୪ଟା ମଧ୍ୟରେ ୧୨ଟି ବିଭାଗର ବଜେଟ ପ୍ରସ୍ତାବ ଆଲୋଚନା ରହିଛି। ସେଥିମଧ୍ୟରେ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ, ମହିଳା ଓ ଶିଶୁ କଲ୍ୟାଣ, ଜଳସମ୍ପଦ, ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତି, ଶକ୍ତି, ମତ୍ସ୍ୟ ଓ ପଶୁସମ୍ପଦ, ବାଣିଜ୍ୟ ଓ ପରିବହନ, ନଗର ଉନ୍ନୟନ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ, ସମବାୟ ଏବଂ ପର୍ୟ୍ୟଟନ ବିଭାଗ ରହିଛି। ସେହିପରି ୧୩ ତାରିଖରେ ହେବାକୁଥିବା ବଜେଟ ଆଲୋଚନାରେ ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ୱାସ୍ଥ୍ୟ, ପଞ୍ଚାୟତିରାଜ, ମିଶନ ଶକ୍ତି, କୃଷି, ଗ୍ରାମ୍ୟ ଉନ୍ନୟନ, ଅନୁସୂଚିତ ଜାତି ଓ ଜନଜାତି, ଗୃହ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ରହିଛି।
ସୂଚନା ଅନୁଯାୟୀ, ଆସନ୍ତା ଫେବୃଆରୀ ତୃତୀୟ ସପ୍ତାହରେ ବଜେଟ ଅଧିବେଶନ ଅନୁଷ୍ଠିତ ହେବ। ଏହାକୁ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ନିକଟରେ ସବୁ ବିଭାଗର ସଚିବଙ୍କଠାରୁ ୫ଟି ଲେଖାଏ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଲୋଡ଼ିଛନ୍ତି।
Powered by Froala Editor