ସିଭିଲ ସର୍ଭିସ ପରୀକ୍ଷା ଆଶାୟୀଙ୍କ ପାଇଁ ଖୁସି ଖବର, ୧୫୧ଟି ପଦବି ସାମିଲ କରିବାକୁ ଓପିଏସ୍ସିକୁ ଅନୁରୋଧ
ନିକଟରେ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ୨୦୨୫ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହେଲେ ଏଥିରେ ଓଏଏସ୍, ଓଆର୍ଏସ୍ ଆଦି କେତେକ କ୍ୟାଡରରେ ଆଦୌ ପଦବୀ ନ ଥିବାରୁ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କରେ ଜାଣିବା ପରେ ଏଥିରେ ତୁରନ୍ତ ହସ୍ତକ୍ଷେପ କରି ଏହି ସବୁ ପଦବୀ ସମ୍ପର୍କରେ ସମୀକ୍ଷା କରି ଖାଲି ପଦବୀ ପୂରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଓପିଏସ୍ସି ଦ୍ୱାରା ପ୍ରକାଶିତ ସିଭିଲ୍ ସର୍ଭିସେସ୍ ପରୀକ୍ଷା-୨୦୨୫ ବିଜ୍ଞପ୍ତିରେ ଓଏଏସ୍ ଓ ଓଆରଏସ୍ ଭଳି ଗୁରୁତ୍ୱପୂର୍ଣ୍ଣ କ୍ୟାଡରରେ ପଦବି ନଥିବା ଯୋଗୁଁ ଆଶାୟୀ ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ଥିବା ଅସନ୍ତୋଷ ସମ୍ପର୍କରେ ମୁଁ ଅବଗତ ହୋଇଥିଲି। ପିଲାମାନଙ୍କର ସମସ୍ୟାକୁ ଦୃଷ୍ଟିରେ ରଖି ଏହି ସବୁ ପଦବି ସମ୍ପର୍କରେ ସମୀକ୍ଷା କରି ଖାଲି ପଦବି ପୂରଣ ପାଇଁ ନିର୍ଦ୍ଦେଶ ଦେଇଥିଲି। ଆମ ସରକାର ଏହି ପରୀକ୍ଷାରେ ଅତିରିକ୍ତ ୧୫୧ଟି ପଦବି ସାମିଲ କରିବାକୁ ଓପିଏସ୍ସିକୁ ଅନୁରୋଧ କରିଛନ୍ତି। ସମସ୍ତ ପରୀକ୍ଷାର୍ଥୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି।
ଏହା ଫଳରେ ଓଡ଼ିଶା ପ୍ରଶାସନିକ ସେବା (OAS) ରେ ୧୪ଟି, ଓଡିଶା ରାଜସ୍ବ ସେବା (ORS)ରେ ୧୧୩ଟି, ଓଡ଼ିଶା ପରିବହନ ସେବା (OTS)ରେ ୧୬ଟି ଓ ଓଡିଶା ମଙ୍ଗଳ ସେବା (OWS)ରେ ୮ଟି ପଦବୀ ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗକୁ ଅନୁରୋଧ କରାଯାଇଛି। ସମୁଦାୟ ୧୫୧ଟି ଅଧିକ ପଦବୀ ପାଇଁ ଅନୁରୋଧ କରାଯାଇଛି।
ଏହାଦ୍ବାରା ଏହିସବୁ ପଦବୀ ପାଇଁ ଆଶାୟୀ ଥିବା ଅନେକ ଯୁବତୀ ଯୁବକ ପରୀକ୍ଷା ଦେଇ ନିଜ ଯୋଗ୍ୟତା ବଳରେ ସଫଳତା ହାସଲ କରି ପାରିବେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ନିଯୁକ୍ତି କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଆରୋପ କରୁଛନ୍ତି ଏବଂ ଗତ ୧୮ ମାସରେ ପ୍ରାୟ ୪୦ ହଜାର ସରକାରୀ ପଦବୀ ପୂରଣ ହୋଇସାରିଛି।
Powered by Froala Editor