ଶୀତ ପ୍ରକୋପରୁ ମିଳିପାରେ ସାମାନ୍ୟ ଆଶ୍ବସ୍ତି
ଭୁବନେଶ୍ବର: ରାଜ୍ୟରେ ଶୀତ ପ୍ରକୋପ ଲାଗି ରହିଛି। ଏହା ସାଙ୍ଗକୁ ଘନ କୁହୁଡ଼ି ପଡୁଛି। ଫଳସ୍ବରୂପ ସକାଳେ ବିଭିନ୍ନ ସ୍ଥାନରେ ଶୀତ ପ୍ରକୋପ ବଢ଼ିଛି; କିନ୍ତୁ ଆଜିଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ପାଣିପାଗ ବିଭାଗର ସୂଚନାନୁଯାୟୀ, କେଉଁଠି ୨ ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରା ବଢ଼ିବ ତ ଆଉ କେଉଁ ଅଞ୍ଚଳରେ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଯଦ୍ଦ୍ବାରା ଶୀତ ପ୍ରକୋପରୁ ସାମାନ୍ୟ ଆଶ୍ବସ୍ତି ମିଳିପାରେ, ହେଲେ ଘନ କୁହୁଡ଼ି ଲାଗି ରହିବ।
ଗତ ୨୪ଘଣ୍ଟାରେ ଝାରସୁଗୁଡ଼ାରେ ଝାରସୁଗୁଡାରେ ସର୍ବନିମ୍ନ ତାପମାତ୍ରା ୬.୨ ଡିଗ୍ରୀ ରେକର୍ଡ଼ ହୋଇଛି। ଏହି ଜିଲାରେ ୨୦୧୦ ଡିସେମ୍ବର ୭ରେ ରାତି ତାପମାତ୍ରା ୫.୬ ଡିଗ୍ରୀ ଥିବାବେଳେ ୨୦୨୦ ଡିସେମ୍ବର ୧୯ରେ ୫.୮, ୨୦୧୪ ଡିସେମ୍ବର ୨୯ରେ ୬.୪ ଡିଗ୍ରୀ ରେକର୍ଡ଼ ହୋଇଥିଲା। ଜିଲାର ବିଭିନ୍ନ ଅଞ୍ଚଳରେ ଶୀତ ପ୍ରକୋପ ଲାଗି ରହିଛି। ଗତ ୨୪ଘଣ୍ଟାରେ ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୪.୩ ଡିଗ୍ରୀ ଥିବାବେଳେ ଫୁଲବାଣୀରେ ୬, ଦାରିଙ୍ଗବାଡ଼ି ଓ ସେମିଳିଗୁଡ଼ାରେ ୭, କିରେଇରେ ୭.୧, ନବରଙ୍ଗପୁର ରେ ୮.୮, ଭବାନୀପାଟଣା ଓ ଅନୁଗୋଳରେ ୯, ଚିପିଲିମାରେ ୯.୮ଡିଗ୍ରୀ ରହିଛି।
ବୁଧବାର ସକାଳେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ଢେଙ୍କାନାଳ, ସୁନ୍ଦରଗଡ଼ ଏବଂ ମୟୂରଭଞ୍ଜ ଜିଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
Powered by Froala Editor