କେବଳ ପ୍ରଚାର ଉଦ୍ଦେଶ୍ୟରେ ନିବେଶ କଥା କୁହାଯାଉଛି: ବିଜେଡି
ଭୁବନେଶ୍ବର : ହାଇଦରାବାଦରେ ଅନୁଷ୍ଠିତ ଓଡ଼ିଶା ନିବେଶକ ସମ୍ମିଳନୀରୁ ରାଜ୍ୟକୁ ୬୫,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ଆସିବା ସହ ୨୦ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଯାହା କୁହାଯାଇଛି, ତାହା ଭ୍ରମାତ୍ମକ ବୋଲି ବିଜେଡି ଅଭିଯୋଗ କରିଛି। ଏକ ପ୍ରେସ୍ ବିବୃତିରେ ଦଳର ମୁଖପାତ୍ର ଡ. ଲେନିନ ମହାନ୍ତି କହିଛନ୍ତି, ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫଡିଆଇ) ହାସଲ କରିବାରେ ଓଡ଼ିଶା ଦେଶର ଶ୍ରେଷ୍ଠ ୧୦ କିମ୍ୱା ଶ୍ରେଷ୍ଠ ୨୦ ରାଜ୍ୟ ଭିତରେ ବି ନାହିଁ। ୨୦୨୪-୨୫ ଆର୍ଥିକ ବର୍ଷରେ ଦେଶକୁ ୪,୨୧,୯୨୮.୮୩ କୋଟି ଟଙ୍କାର ଏଫଡିଆଇ ଆସିଛି। ସେଥିରୁ ମାତ୍ର ୩୯.୦୨ କୋଟି ଟଙ୍କା ଓଡ଼ିଶା ଭାଗରେ ପଡ଼ିଛି। ଏହା ଦେଶକୁ ଆସିଥିବା ମୋଟ୍ ଏଫଡିଆଇର ମାତ୍ର ୦.୦୦୯ ପ୍ରତିଶତ। ଗତ ଆର୍ଥିକ ବର୍ଷରେ ମହାରାଷ୍ଟ୍ର ସର୍ବାଧିକ ୧,୬୪,୮୭୫.୨୦ କୋଟି ଟଙ୍କାର ଏଫଡିଆଇ ହାସଲ କରିଛି। ଦେଶକୁ ଆସୁଥିବା ବିଦେଶୀ ନିବେଶ ମୁଖ୍ୟତଃ ୭ଟି ରାଜ୍ୟ ମଧ୍ୟରେ ସୀମିତ ରହିଛି। ମହାରାଷ୍ଟ୍ର ବ୍ୟତୀତ କର୍ଣ୍ଣାଟକ (୫୬,୦୨୯ କୋଟି ଟଙ୍କା), ଦିଲ୍ଲୀ (୫୧,୫୪୦ କୋଟି ଟଙ୍କା), ଗୁଜରାଟ (୪୭,୯୪୭ କୋଟି ଟଙ୍କା), ତାମିଲନାଡ଼ୁ (୩୧,୧୦୨ କୋଟି ଟଙ୍କା), ହରିୟାଣା (୨୬,୫୯୯ କୋଟି ଟଙ୍କା) ଓ ତେଲେଙ୍ଗାନା (୨୫,୫୯୯ କୋଟି ଟଙ୍କା) ଏଫ୍ଡିଆଇ ହାସଲ କରିଛି। କେବଳ ପ୍ରଚାର ଉଦ୍ଦେଶ୍ୟରେ ଏପରି ନିବେଶ କଥା କୁହାଯାଉଛି। ପରବର୍ତ୍ତୀ ସମୟରେ ଏହା ରୂପାନ୍ତରିତ ହେଉନାହିଁ। ବିଜେଡି ସରକାର ସମୟରେ ୨୦୨୩-୨୪ରେ ଓଡ଼ିଶାକୁ ସର୍ବାଧିକ ପୁଞ୍ଜି ଆସିଥିଲା। ଯାହାର ପୁରସ୍କାର ବର୍ତ୍ତମାନର ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଭାରତ ସରକାରଙ୍କଠାରୁ ଗ୍ରହଣ କରିଥିଲେ। ବର୍ତ୍ତମାନ ଏଫଡିଆଇ ହାତେଇବାରେ ରାଜ୍ୟ ବିଜେପି ସରକାର ବହୁତ ପଛୁଆ ବୋଲି ସେ କହିଛନ୍ତି।
Powered by Froala Editor