ଅଫିସରଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ ‘ମାନନୀୟ’
ମାନନୀୟ ଶବ୍ଦ କୌଣସି ବ୍ୟୁରୋକ୍ରାଟ୍ କିମ୍ୱା ଅଫିସରଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ। ଅଫିସରଙ୍କ ପାଇଁ ବ୍ୟବହାର କରାଯାଉଥିବା ‘ମାନନୀୟ’ ଶବ୍ଦ ବ୍ୟବହାରକୁ ନେଇ ଆହ୍ଲାବାଦ ହାଇକୋର୍ଟ କଡ଼ା ଆପତ୍ତି ଉଠାଇଛନ୍ତି। ଆହ୍ଲାବାଦ ହାଇକୋର୍ଟ କହିଛନ୍ତି, ମାନନୀୟ ଶବ୍ଦର ବ୍ୟବହାର କେବଳ ମନ୍ତ୍ରୀ ଓ ଅନ୍ୟାନ୍ୟ ସାର୍ବଭୌମ ପଦାଧିକାରୀଙ୍କ ପାଇଁ ବ୍ୟବହାର କରାଯିବ। ମାନନୀୟ ଶବ୍ଦ ଅଧିକାରୀଙ୍କ ମାମଲାରେ ଲାଗୁ ହୁଏ ନାହିଁ ।
ଜଷ୍ଟିସ୍ ଅଜୟ ଭନୋଟ ଓ ଜଷ୍ଟିସ୍ ଗରିମା ପ୍ରସାଦଙ୍କ ଖଣ୍ଡପୀଠ ଯୋଗେଶ ଶର୍ମା ନାମଙ୍କ ବ୍ୟକ୍ତିଙ୍କ ପକ୍ଷରୁ ଦାଏର ପିଟିସନ ଉପରେ ଶୁଣାଣି ବେଳେ ଏହି ଆଦେଶ ଦେଇଛନ୍ତି। ଏହି ପ୍ରସଙ୍ଗରେ ହାଇକୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କ ଠାରୁ ଜବାବ ମାଗିଛନ୍ତି। କୋର୍ଟ ମୁଖ୍ୟ ସଚିବଙ୍କୁ ଏକ ଆଫିଡେଭିଟ୍ ଫାଇଲ କରିବାକୁ କହିଛନ୍ତି।
ଉକ୍ତ ମାମଲାରେ ଇଟାୱାର ଡିଏମ୍ (ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍)ଙ୍କ ଦ୍ୱାରା କାନପୁରର ମଣ୍ଡଳାୟୁକ୍ତଙ୍କୁ ମାନନୀୟ ମଣ୍ଡଳାୟୁକ୍ତ ଭାବେ ସନ୍ଦର୍ଭିତ କରାଯାଇଛି। ପ୍ରମୁଖ ସଚିବଙ୍କୁ ନିର୍ଦ୍ଦେଶ ଦେଇ ହାଇକୋର୍ଟ କହିଛନ୍ତି , କୋର୍ଟଙ୍କୁ କୁହନ୍ତୁ ଯେ, ଏହି ଅଧିକାରୀଙ୍କ ପାଇଁ କଣ କୌଣସି ପ୍ରୋଟୋକଲ ଅଛି , ଯାହା ତାଙ୍କ ପଦ କିମ୍ୱା ନାମ ପୂର୍ବରୁ ମାନନୀୟ ଶବ୍ଦ ଲଗାଇ ପାରିବେ।
Powered by Froala Editor