ଆଉ ଜଣେ ମୀରା...କୃଷ୍ଣଙ୍କୁ ସ୍ୱାମୀ ଭାବେ ବିବାହ କଲେ
କଳିଯୁଗରେ ଆଉ ଗୋଟିଏ ମୀରାଙ୍କୁ ଦେଖିବାକୁ ମିଳିଛି। ଯିଏ କୃଷ୍ଣ ଭକ୍ତିରେ ନିଜକୁ ଲୀନ କରି ତାଙ୍କୁ ହିଁ ନିଜର ସ୍ବାମୀ ଭାବରେ ଗ୍ରହଣ କରିଛନ୍ତି। ଉତ୍ତରପ୍ରଦେଶର ବଦାୟୁରେ ରହୁଥିବା ୨୮ ବର୍ଷୀୟା ପିଙ୍କି ଶର୍ମା ଭଗବାନ କୃଷ୍ଣଙ୍କୁ ବିବାହ କରିଛନ୍ତି।
ପିଙ୍କିଙ୍କ ବାପା ସୁରେଶ ଚନ୍ଦ୍ର ଶର୍ମା କହିଛନ୍ତି ଯେ, ସେ ପିଲାଦିନରୁ ଧାର୍ମିକ ଥିଲେ। ସେ ପ୍ରାୟତଃ ତାଙ୍କ ପରିବାର ସହିତ ବୃନ୍ଦାବନ ଯାଉଥିଲେ। ପରେ ଧୀରେ ଧୀରେ ସେ କୃଷ୍ଣଙ୍କୁ ତାଙ୍କର ସବୁକିଛି ବୋଲି ଭାବିବାକୁ ଲାଗିଲେ। ପ୍ରାୟ ଚାରି ମାସ ପୂର୍ବରୁ ପିଙ୍କିଙ୍କ ସହ ଏକ ଅଲୌକିକ ଘଟଣା ଘଟିଥିଲା। ପ୍ରସାଦ ଗ୍ରହଣ କରିବା ସମୟରେ ତାଙ୍କ କୋଳରେ ଏକ ସୁନା ମୁଦି ପଡିଥିବାର ଦେଖାଯାଇଥିଲା। ପିଙ୍କି ଏହାକୁ ଭଗବାନ କୃଷ୍ଣଙ୍କ ଆଶୀର୍ବାଦ ବୋଲି ଭାବିଥିଲେ ଏବଂ ସେହି ଦିନଠାରୁ ସେ କେବଳ କୃଷ୍ଣଙ୍କୁ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ ।
ପିଙ୍କିଙ୍କ ବିବାହ ଡିସେମ୍ବର ୬ ତାରିଖରେ ସଂପନ୍ନ ହୋଇଥିଲା। ଏହି ବିବାହରେ ପିଙ୍କି କନ୍ୟା ରୂପରେ ସଜ ହୋଇଥିବା ବେଳେ ବର ରୂପରେ ଭଗବାନ କୃଷ୍ଣଙ୍କ ପ୍ରତିମାକୁ ସଜାଯାଇଥିଲା। ଏହି ବିବାହରେ ପିଙ୍କିଙ୍କ ଭିଣେଇଙ୍କ ପରିବାରର ଲୋକମାନେ ବରଯାତ୍ରୀ ଭାବେ ଆସିଥିଲେ। ବର ପରି ସଜା ହୋଇଥିବା କୃଷ୍ଣଙ୍କ ପ୍ରତିମାକୁ କୋଳରେ ଧରି ପିଙ୍କି ଫୁଲମାଳ ଅଦଳବଦଳ କରିଥିଲେ। ଏହି ଅନନ୍ୟ ବିବାହ ସମାରୋହରେ ବୃନ୍ଦାବନର କଳାକାରମାନେ ନୃତ୍ୟ ପ୍ରଦର୍ଶନ କରିଥିଲେ ବୋଲି ଜଣାଯାଇଛି।
Powered by Froala Editor