ଗୁଜୁରାଟ ଚିଡ଼ିଆଖାନାରୁ ନନ୍ଦନକାନନ ଆସିବେ ୧୯ ଜୀବଜନ୍ତୁ
ନନ୍ଦନକାନନରେ ଏବେ ଖୁସିର ମାହୋଲ । କାରଣ ଗୋଟିଏ କି ଦୁଇଟି ନୁହେଁ ଏକାଥରକେ ୧୯ ଜୀବଜନ୍ତୁ ଗୁଜରାଟରୁ ଆସିବେ । ଏଥିପାଇଁ ନୂଆ ନୂଆ ଖୁଆଡ଼ ସଜା ଚାଲିଛି । ଏନେଇ ସୁରଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଜୁଲୋଜିକାଲ ଗାର୍ଡେନ ସହ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ କଥାବାର୍ତ୍ତା ସରିଥିବା ଏବଂ କେନ୍ଦ୍ରୀୟ ଚିଡ଼ିଆଖାନା ପକ୍ଷରୁ ଅନୁମତି ମିଳିଥିବା ଜଣାପଡ଼ିଛି ।
ଗୁଜୁରାଟ ଚିଡ଼ିଆଖାନାରୁ ୪ ପ୍ରଜାତିର ୧୯ ଜୀବଜନ୍ତୁ ଆସୁଥିବା ବେଳେ ଏହାର ପ୍ରତିବଦଳରେ ନନ୍ଦନକାନନ ୫ ପ୍ରଜାତିର ୧୪ ଜୀବଜନ୍ତୁ ଦେଉଛି । ଆସୁଥିବା ଜୀବଜନ୍ତୁ ମଧ୍ୟରେ ଅଛନ୍ତି ୫ଟି (୩ଟି ଅଣ୍ଡିରା,୨ଟି ମାଈ) ପାଣି ଓଧ , ୨ଟି ଅଣ୍ଡିରା ଧୂସର ଗଧିଆ, ୧୦ଟି (୫ଟି ଅଣ୍ଡିରା, ୫ଟି ମାଈ) ଭାରତୀୟ ପଥର କଇଁଛ ଓ ୨ଟି (ଅଣ୍ଡିରା,ମାଈ) ରୁପେଲି କୁକୁଟ ଅଛନ୍ତି । ସେହିପରି ନନ୍ଦନକାନନରୁ ଯାଉଥିବା ୫ ପ୍ରଜାତିର ୧୪ ଜୀବଜନ୍ତୁ ମଧ୍ୟରେ ଦୁଇଟି (ଅଣ୍ଡିରା,ମାଈ) ମହାବଳ ବାଘ, ଦୁଇଟି ମାଈ ଧୂସର ଗଧିଆ, ୩ଟି (ଗୋଟିଏ ଅଣ୍ଡିରା,୨ଟି ମାଈ) ଚଉସିଂଙ୍ଗା,ଦୁଇଟି ମାଈ କୁଟୁରା ଓ ୫ଟି (୨ଟି ଅଣ୍ଡିରା,୩ଟି ମାଈ) ଭାରତୀୟ ବିଲୁଆ ଅଛନ୍ତି ।
ଏହି ସୂତ୍ରରୁ ଜଣାଯାଇଛି ଯେ, ଡ଼ିସେମ୍ବର ୧୦ ତାରିଖ ସୁଦ୍ଧା ନୂଆ ଜୀବଜନ୍ତୁ ଆସି ନନ୍ଦନକାନରେ ପହଞ୍ଚିବେ । ତେଣୁ ନନ୍ଦନକାନନ ପକ୍ଷରୁ ଏକ ଟିମ ଗୁଜୁରାଟ ଯିବା ପାଇଁ ପ୍ରସ୍ତୁତି ସରିଛି ।
Powered by Froala Editor