ଅହମଦାବାଦରେ ଆୟୋଜିତ ହେବ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା
ଦୁଇ ଦଶନ୍ଧି ପରେ ଭାରତକୁ ଫେରିଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା। ଗୁଜରାଟର ଅହମଦାବାଦରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜିତ ହେବ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ସଚିବାଳୟ ପକ୍ଷରୁ ଆନୁଷ୍ଠାନିକ ଭାବେ ଏହି ଘୋଷଣା କରାଯାଇଛି।
୨୦୧୦ ଦିଲ୍ଲୀରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପରେ ଭାରତ ଦ୍ବିତୀୟ ଥର ଏହି କ୍ରୀଡ଼ା ଆୟୋଜନ କରିବାକୁ ଯାଉଛି। ଗ୍ଲାସ୍ଗୋରେ ବୁଧବାର ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାସଭାରେ ୭୪ଟି ସଦସ୍ୟ ରାଷ୍ଟ୍ର ଓ ଅଞ୍ଚଳର ପ୍ରତିନିଧି ଭାରତର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ୨୦ ବର୍ଷ ପରେ ଏହି କ୍ରୀଡ଼ା ଭାରତରେ ହେବାର ଥିବାରୁ ଭାରତୀୟ କ୍ରୀଡ଼ାପ୍ରେମୀ ଉଲ୍ଲସିତ ହୋଇଛନ୍ତି।
୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାର କାର୍ଯ୍ୟକାରୀ ପରିଷଦ ଅକ୍ଟୋବର ୧୫ରେ ଅହମ୍ମଦାବାଦ ସହର ନାମ ସୁପାରିସ କରିଥିଲା। ଫଳରେ ବୁଧବାର ଗ୍ଲାସ୍ଗୋରେ ବସିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସାଧାରଣ ପରିଷଦର ପୂର୍ଣ୍ଣକାଳୀନ ବୈଠକରେ ଏହା ଉପରେ ମୋହର ବାଜିଛି। ଏହି କ୍ରୀଡ଼ାର ଆୟୋଜନ ଅଧିକାର ଲାଗି ଦୌଡ଼ରେ ଭାରତ ସହ ନାଇଜେରିଆ ରହିଥିଲା। ତେବେ ଅହମ୍ମଦାବାଦ୍କୁ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନର ଅଧିକାର ମିଳିଛି। ଆଫ୍ରିକୀୟ ଦେଶ ନାଇଜେରିଆ ୨୦୩୪ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିବ।
ବୁଧବାର ବୈଠକ ପରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସଭାପତି ଡ.ଡୋନାଲ୍ଡ ରୁକାରେ କହିଥିଲେ, ଅହମଦାବାଦରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ଏକ ନୂଆ ଆରମ୍ଭର ପ୍ରତିଶ୍ରୁତି ନେଇ ଆସିବ। ଏହିଠାରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସ୍ବର୍ଣ୍ଣିମ ଯୁଗର ଶୁଭାରମ୍ଭ ହେବ। ୨୦୨୬ରେ ଗ୍ଲାସ୍ଗୋରେ ପରବର୍ତ୍ତୀ ସଂସ୍କରଣର ସଫଳ ଆୟୋଜନ ପରେ ମୁଁ ସମସ୍ତଙ୍କୁ ଅହମଦାବାଦକୁ ସ୍ବାଗତ କରିବି।
ଅହମ୍ମଦାବାଦରେ ୧୫ଟିରୁ ୧୭ଟି କ୍ରୀଡ଼ାରେ ପଦକ ପାଇଁ ମୁକାବିଲା ହେବ। ବିଚାରାଧୀନ କ୍ରୀଡ଼ା ମଧ୍ୟରେ ତୀରନ୍ଦାଜୀ, ବ୍ୟାଡମିଣ୍ଟନ, ଟ୍ବେଣ୍ଟି୨୦ କ୍ରିକେଟ, ହକି, ଜୁଡୋ, ସୁଟିଂ ଓ କୁସ୍ତି ରହିଛି। ଆୟୋଜକ ଦେଶ ଦୁଇଟି ନୂଆ କିମ୍ବା ପାରମ୍ପରିକ କ୍ରୀଡ଼ା ଅନ୍ତର୍ଭୁକ୍ତ କରିପାରିବ। ସମସ୍ତ କ୍ରୀଡ଼ା ତାଲିକା ଆସନ୍ତାବର୍ଷ ଘୋଷଣା କରାଯିବ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆସୋସିଏସନ୍ ଅଫ୍ ଇଣ୍ଡିଆର ସଭାପତି ପି.ଟି. ଉଷା କହିଛନ୍ତି, ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା କେବଳ ରାଜ୍ୟଗୋଷ୍ଠୀ ଆନ୍ଦୋଳନର ଶହେ ବର୍ଷ ପାଳନ କରିବ ନାହିଁ, ବରଂ ପରବର୍ତ୍ତୀ ଶତାବ୍ଦୀ ପାଇଁ ମୂଳଦୁଆ ପକାଇବ।
Powered by Froala Editor