ପଶ୍ଚିମବଙ୍ଗରେ ହେବ ବାବ୍ରି ମସଜିଦ୍
ପଶ୍ଚିମବଙ୍ଗରେ ନିର୍ମାଣ ହେବ ବାବ୍ରି ମସ୍ଜିଦ୍। ଡିସେମ୍ବର ୬ତାରିଖରେ ମୁର୍ଶିଦାବାଦ ଜିଲ୍ଲାର ବେଲଡାଙ୍ଗାରେ ବାବ୍ରି ମସଜିଦର ଭିତ୍ତି ପ୍ରସ୍ତର ସ୍ଥାପନ କରାଯିବ, ଯେଉଁ ଦିନକି ମସଜିଦ୍ ଭଙ୍ଗା ଯିବାର ୩୩ ତମ ବାର୍ଷିକୀ ପାଳନ ହେବାକୁ ଯାଉଛି । ବିଧାନସଭା ନିର୍ବାଚନ ପୂର୍ବରୁ ଏଭଳି ଘୋଷଣା କଲେ ତୃଣମୂଳ କଂଗ୍ରେସର ବିଧାୟକ ହୁମାୟୁନ୍ କବୀର। ତାଙ୍କର ଏହି ଘୋଷଣା ସହିତ ପଶ୍ଚିମବଙ୍ଗ ରାଜନୀତି ଏକ ସାମ୍ପ୍ରଦାୟିକ ମୋଡ଼ ନେଇଛି। ସେ ଘୋଷଣା କରିଛନ୍ତି ଯେ, ଡିସେମ୍ବର ୬ ତାରିଖରେ ମୁର୍ଶିଦାବାଦ ଜିଲ୍ଲାର ବେଲଡାଙ୍ଗାରେ ବାବ୍ରି ମସଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।
୩୩ ବର୍ଷ ପୂର୍ବେ ଡିସେମ୍ବର ୬ ତାରିଖରେ ଅଯୋଧ୍ୟାରେ ଥିବା ବାବ୍ରି ମସଜିଦ ଭଙ୍ଗା ଯାଇଥିଲା। ଏବେ ସେହି ତାରିଖରେ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ସେ ଘୋଷଣା କରିଛନ୍ତି। ହୁମାୟୁନ୍ଙ୍କ ଏହି ଘୋଷଣା ପରେ ରାମ ମନ୍ଦିର ଆନ୍ଦୋଳନ ସହ ଜଡିତ ବିଜେପି ନେତ୍ରୀ ଉମା ଭାରତୀ ଟିଏମସି ବିଧାୟକଙ୍କ ଏହି ବୟାନ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, "ଆମେ ପୂଜା ନାମରେ ନିର୍ମିତ ମସଜିଦକୁ ସମ୍ମାନ କରିବୁ, କିନ୍ତୁ ବାବରଙ୍କ ନାମରେ ନିର୍ମିତ ମସଜିଦ ଭାଙ୍ଗିଦିଆଯିବ। ଡିସେମ୍ବର ୬ରେ ଅଯୋଧ୍ୟାରେ ଥିବା ବାବ୍ରି ମସଜିଦର ଅବସ୍ଥା ଯାହା ହୋଇଥିଲା ପଶ୍ଚିମବଙ୍ଗରେ ବାବ୍ରି ମସଜିଦ ନିର୍ମାଣ ହେଲେ ତା’ର ଅବସ୍ଥା ମଧ୍ୟ ସେଭଳି ହେବ।"
ତେବେ ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ ରାଜ୍ୟରେ ଏଭଳି ଘୋଷଣା ଏକ ସାମ୍ପ୍ରଦାୟୀକ ମୋଡ ନେଇଛି । ଏହି ସମୟରେ ବିରୋଧୀ ବିଜେପି ହୁମାୟୁନଙ୍କୁ ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛି । ବିଜେପି ମୁଖପାତ୍ର ଗୌରବ ଭାଟିଆ ହୁମାୟୁନଙ୍କ ଦାବିକୁ ରାଜନୈତିକ ଅପରାଧର ଶୀର୍ଷ ବୋଲି ଦର୍ଶାଇଛନ୍ତି ।
Powered by Froala Editor