ଗିରଫ ହେଲା ନକଲି କନଷ୍ଟେବଳ
ବ୍ରହ୍ମପୁର: ପୁଲିସ ପୋଷାକ ପିନ୍ଧି ରାସ୍ତାରେ ଗାଡ଼ିମୋଟର ଅଟକାଇ ଟଙ୍କା ଆଦାୟ କରୁଥିବା ଜଣେ ନକଲି ପୁଲିସ କନଷ୍ଟେବଳକୁ ସଦର ଥାନା ପୁଲିସ ଗିରଫ କରିଛି। ସେ ହେଲେ ବ୍ରହ୍ମପୁର ନିକଟ ନାରାୟଣପୁର ଗ୍ରାମର କେଦାରନାଥ ସ୍ବାଇଁ ଓରଫ ମନୋଜ(୩୭)। ପୁଲିସ ଅଭିଯୁକ୍ତ ମନୋଜଙ୍କ ଘରୁ ନକଲି ପୁଲିସ ପୋଷାକ, ଜୋତା, ଡ୍ରେସ, ଲାଠି, ଖେଳନା ବନ୍ଧୁକ ଆଦି ଜବତ କରିଛି। ସେ ଗତ କିଛିମାସ ହେବ ନିଜକୁ ଓଡ଼ିଶା ପୁଲିସର କନଷ୍ଟେବଳ ବୋଲି ପରିଚୟ ଦେଇ ବିଭିନ୍ନ ଜିଲା ଗସ୍ତ କରିବା ସହ ଲୋକଙ୍କୁ ଡରାଇ ଧମକାଇ ଟଙ୍କା ଆଦାୟ କରୁଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି। ଏ ନେଇ ସଦର ଥାନାରେ ଏକ ମାମଲା ୫୧୮/୨୫ରେ ରୁଜୁ ହୋଇଛି। ଗିରଫ ପରେ ମନୋଜକୁ ଅଦାଲତ ଚାଲାଣ କରାଯାଇଛି।
ରବିବାର ସକାଳ ୯ଟା ବେଳେ ରାଜ୍ୟ ରାଜପଥର ୧୭ ପଦରବାଲି ଛକ ଉପରେ ଜଣେ ପୁଲିସ କନଷ୍ଟେବଳ ଗାଡ଼ିମୋଟର ଯାଞ୍ଚ କରି ଚାଳକଙ୍କଠାରୁ ଟଙ୍କା ଆଦାୟ କରୁଥିବା ସଦର ଥାନାକୁ ଖବର ମିଳିଥିଲା। ସଦର ଥାନାର ଏଏସଆଇ ଡି.ପି. ପଟ୍ଟନାୟକ ସଦଳବଳ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ତୁରନ୍ତ ପଦରବାଲି ଛକରେ ପହଞ୍ଚିଥିଲେ। ପୁଲିସ ଗାଡ଼ି ଆସିବା ଦେଖି ସେଠାରେ ପୁଲିସ ପୋଷାକ ପିନ୍ଧି ଛିଡା ହୋଇଥିବା ଅଭିଯୁକ୍ତ ମନୋଜ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲା। ପୁଲିସ କର୍ମଚାରୀମାନେ ମନୋଜଙ୍କୁ କାବୁ କରିଥିଲେ। ଅଭିଯୁକ୍ତ ମନୋଜଙ୍କ ଘର ନାରାୟଣପୁରରେ ହୋଇଥିବା ବେଳେ ସେ ଲାଠିରେ ଏକ ଭଡ଼ାଘର ନେଇ ପତ୍ନୀଙ୍କ ସହ ରହୁଥିଲେ।
Powered by Froala Editor