ରାଜ୍ୟସ୍ତରୀୟ ଜାତୀୟ ସଂହତି ଦିବସ
ଭୁବନେଶ୍ୱର:ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ରାଜ୍ୟସ୍ତରୀୟ ଇନ୍ଦିରା ଗାନ୍ଧୀ ସ୍ମୃତି ସମିତିର ମିଳିତ ଆନୁକୂଲ୍ୟରେ ଲୋକସମ୍ପର୍କ ଭବନ ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ଜାତୀୟ ସଂହତି ଦିବସ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମହାଭାରତୀୟତାର ମହାନ୍ ଭାବନା ଉଦ୍ରେକ ହେଲେ ଭାଷା, ସ୍ୱାର୍ଥ, ପ୍ରାନ୍ତ ଓ ସଂପ୍ରଦାୟର ଭାବନା ଲୁଚିଯାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।
ଆଜି ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଶ୍ରୀ ପଞ୍ଚାୟନନ କାନୁନଗୋ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କର ବହୁମୁଖୀ ଅବଦାନ ସଂପର୍କରେ ଆଲୋକପାତ କରି କହିଲେ ଯେ ଜାତୀୟ ସଂହତିର ପ୍ରତିଷ୍ଠାତା ଓ ଦୃଢ଼ ନେତୃତ୍ୱର କଥା ଯେତେବେଳେ ମନେପଡ଼େ ସେତେବେଳେ ଇନ୍ଦିରା ଗାନ୍ଧୀ ଆମ ମାନସପଟରେ ଉଦ୍ଭାସିତ ହୁଅନ୍ତି । ଭାରତ-ପାକିସ୍ତାନ ଯୁଦ୍ଧ ହେଉ ଅବା ସିକିମ୍ ମିଶ୍ରଣ, ରାଜରାଜୁଡ଼ା ଶାସନର ଉଚ୍ଛେଦ ହେଉ ଅବା ବ୍ୟାଙ୍କ ଜାତୀୟକରଣ, ଏସବୁ ଥିଲା ତାଙ୍କର ଦୃଢ଼ମନା ଓ ଦୃଢ଼ଦର୍ଶୀ ନେତୃତ୍ୱର ପରିଭାଷା । ଭାରତବର୍ଷର ଏକତା, ଅଖଣ୍ଡତା, ସମୃଦ୍ଧି ପାଇଁ ସେ ଆଜୀବନ ସଂଗ୍ରାମ କରିଥିଲେ । ଆମେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ଭାରତ ପୃଥିବୀର ଶ୍ରେଷ୍ଠ ରାଷ୍ଟ୍ରରେ ପରିଣତ ହୋଇପାରିବ ବୋଲି ସେ ଉଲ୍ଲେଖ କରିଥିଲେ ।
ବିଶିଷ୍ଟ ସାହିତି୍ୟକ ତଥା ସ୍ତମ୍ଭକାର ଶ୍ରୀ ଦାଶ୍ ବେନ୍ହୁର ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଓ ଆଦର୍ଶ ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ ।
ରାଜ୍ୟସ୍ତରୀୟ ଇନ୍ଦିରା ଗାନ୍ଧୀ ସ୍ମୃତି ସମିତିର ସାଧାରଣ ସମ୍ପାଦକ ଶ୍ରୀ ଅମିୟ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଣେ ଉଚ୍ଚକୋଟୀର ରାଷ୍ଟ୍ରନୀତିଜ୍ଞ, ଦକ୍ଷ ପ୍ରଶାସକ, ପ୍ରଭାବୀ ନେତ୍ରୀ, ଦୂରଦୃଷ୍ଟିସଂପନ୍ନ ମହିଳା ଭାବେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଖୁବ୍ ପରିଚିତ ଥିଲେ ବୋଲି କହିଥିଲେ।
ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଅନୁଜ କୁମାର ଦାସପଟ୍ଟନାୟକ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କହିଲେ ଯେ ଇନ୍ଦିରା ଗାନ୍ଧୀ ଥିଲେ ବିଶ୍ୱର ଦ୍ୱିତୀୟ ମହିଳା ନେତ୍ରୀ ଯିଏ ପ୍ରଧାନମନ୍ତ୍ରୀ ପଦବୀ ଅଳଙ୍କୃତ କରିପାରିଥିଲେ । ତାଙ୍କ ଶାସନକାଳରେ ଭାରତ ସବୁ କ୍ଷେତ୍ରରେ ପ୍ରଗତି ହାସଲ କରିଥିଲା ।
ସଭା ପ୍ରାରମ୍ଭରେ ଅତିଥିମାନେ ସ୍ୱର୍ଗୀୟା ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗର ଅନୁଶାସନ ସଚିବ ମୌସୁମୀ ଦାଶ ସ୍ୱାଗତ ଭାଷଣ ରଖିଥିବାବେଳେ ବିଭାଗୀୟ ଉପନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ ।
Powered by Froala Editor