୧୪ରୁ ୧୮ବର୍ଷ ମଧ୍ୟରେ ପିଲାଙ୍କ ନିଖୋଜ ସଂଖ୍ୟା ଅଧିକ, ୨୫%ଙ୍କ ମିଳୁନି ପତ୍ତା
ଭୁବନେଶ୍ବର : ରାଜ୍ୟରେ ୦-୧୮ବର୍ଷ ପର୍ଯ୍ୟନ୍ତ ନିଖୋଜ ପିଲାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେଥିମଧ୍ୟରୁ ୧୪ରୁ ୧୮ବର୍ଷ ମଧ୍ୟର ପିଲାଙ୍କ ସଂଖ୍ୟା ଅଧିକ। ନିଖୋଜଙ୍କ ମଧ୍ୟରୁ ୭୦ରୁ ୭୫% ଉଦ୍ଧାର ହେଉଥିବା ବେଳେ ବାକି ୨୫%ଙ୍କ ପତ୍ତା ମିଳୁନି। କେବଳ ଓଡ଼ିଶା ନୁହେଁ; ସାରା ଦେଶରେ ଏହି ସମସ୍ୟା ଧୀରେ ଧୀରେ ଉତ୍କଟ ହେବାରେ ଲାଗିଛି। ଏନେଇ ନିକଟରେ ସର୍ବୋଚ୍ଚ ନ୍ୟାୟାଳୟ ଉଦ୍ବେଗ ପ୍ରକାଶ କରିଛନ୍ତି। ଏହି ମାମଲାର ତଦାରଖ ପାଇଁ ଆସନ୍ତା ଡିସେମ୍ବର ୯ ମଧ୍ୟରେ ପ୍ରତି ରାଜ୍ୟରେ ଜଣେ ଲେଖାଏଁ ନୋଡ଼ାଲ ଅଧିକାରୀଙ୍କୁ ନିଯୁକ୍ତ କରିବାକୁ ନିର୍ଦେଶ ଦିଆଯାଇଛି। ଅପରପକ୍ଷେ ସମସ୍ତ ନିଖୋଜଙ୍କୁ ଠାବ କରିବାରେ ସରକାରଙ୍କ ବିଫଳତାକୁ ନେଇ ଅଭିଭାବକମାନେ ଚିନ୍ତାରେ ପଡ଼ିଛନ୍ତି।
ତଥ୍ୟ ଅନୁସାରେ, ୨୦୨୦ରେ ୨,୮୯୯ ପିଲା ନିଖୋଜ ହୋଇଥିବା ବେଳେ ୨୦୨୧ରେ ୪,୧୩୩, ୨୦୨୨ରେ ୪,୭୫୭, ୨୦୨୩ରେ ୪,୮୬୫ ଓ ୨୦୨୪ରେ ୫,୧୦୨ ପିଲା ନିଖୋଜ ହୋଇଥିଲେ। ନିଖୋଜଙ୍କ ମଧ୍ୟରୁ ୭୫% ପିଲାଙ୍କୁ ପୁଲିସ ଓ ଶିଶୁ ସୁରକ୍ଷା ବିଭାଗର ଉଦ୍ୟମରେ ଉଦ୍ଧାର କରାଯାଇଛି। ୨୦୨୪ ପର୍ଯ୍ୟନ୍ତ ୮,୪୦୩ ପିଲା ନିଖୋଜ ଥିବା ସୂଚନା ମିଳିଛି। ଏହି ମାମଲାରେ ଗଞ୍ଜାମ ଜିଲା ସବୁଠାରୁ ଆଗରେ ଥିବା ବେଳେ ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, କୋରାପୁଟ, ଖୋର୍ଦ୍ଧା, କଟକ, ପୁରୀ ଓ ଢେଙ୍କାନାଳ ପଛକୁ ପଛ ରହିଛି। ସୀମାନ୍ତ ଜିଲାରେ ଅଧିକ ପିଲା ନିଖୋଜ ହେଉଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ୧୪ରୁ ୧୮ବର୍ଷ ମଧ୍ୟରେ ଅଧିକ ନାବାଳିକା ନିଖୋଜ ହେଉଥିବା ଥାନାରେ ଅଭିଯୋଗ ହେଉଛି। ବିଶେଷକରି ପ୍ରେମ ବ୍ୟାପାରକୁ ନେଇ ନାବାଳିକା ନିଖୋଜ ହେଉଥିବା ବେଳେ ଆଉ କିଛି ଅପହରଣର ଶିକାର ହେଉଛନ୍ତି। ଏମାନଙ୍କ ସମ୍ପର୍କରେ ପୂର୍ଣ୍ଣାଙ୍ଗ ତଥ୍ୟ ପୁଲିସ କିମ୍ବା ଶିଶୁ ସୁରକ୍ଷା ବିଭାଗ ପାଖରେ ନାହିଁ। ଅର୍ଥାଭାବ ଯୋଗୁଁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପିଲାମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ସେଠାରେ ସେମାନେ ନିଖୋଜ ହେଉଥିବା ଭଳି ଅଭିଯୋଗ ସାମ୍ନାକୁ ଆସୁଛି।
Powered by Froala Editor