ରାଉରକେଲା ଇସ୍ପାତ କାରଖାନା କ୍ଷମତା ବୃଦ୍ଧି ପାଇଁ ନିବେଶ ହେବ ୩୦,୦୦୦ କୋଟି
କେନ୍ଦ୍ର ଇସ୍ପାତ ଓ ଭାରୀ ଶିଳ୍ପ ମନ୍ତ୍ରୀ ଏଚ୍.ଡି. କୁମାରସ୍ୱାମୀ ରାଉରକେଲା ଇସ୍ପାତ କାରଖାନା (RSP)ର ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଏକ ବଡ଼ ଯୋଜନା ଘୋଷଣା କରିଛନ୍ତି। ପ୍ରାୟ ୩୦,୦୦୦ କୋଟି ଟଙ୍କା ବିନିଯୋଗରେ ୨୦୩୦ ସୁଦ୍ଧା RSPର ବାର୍ଷିକ ଉତ୍ପାଦନ କ୍ଷମତାକୁ ଦ୍ୱିଗୁଣିତ କରି ୯.୮ ମିଲିୟନ ଟନ୍କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି।
କେନ୍ଦ୍ର ଇସ୍ପାତ ଏବଂ ଭାରୀ ଶିଳ୍ପ ମନ୍ତ୍ରୀ ଏଚ୍.ଡି. କୁମାରସ୍ୱାମୀ ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିବା ସହିତ ଓଡ଼ିଶାରେ ଇସ୍ପାତ କ୍ଷେତ୍ରର ବିକାଶ, ବିଶେଷକରି ରାଉରକେଲା ଇସ୍ପାତ କାରଖାନା (ଆରଏସପି)ର ପରିଚାଳନା ଏବଂ ସମ୍ପ୍ରସାରଣ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଛନ୍ତି। ଏହି ବୈଠକରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ ମଧ୍ୟ ଉପସ୍ଥିତ ଥିଲେ।
ଆଲୋଚନାକୁ ‘ଫଳପ୍ରଦ’ ବୋଲି ଅଭିହିତ କରି କେନ୍ଦ୍ରମନ୍ତ୍ରୀ କୁମାରସ୍ୱାମୀ କହିଛନ୍ତି, ଏକ ଅଗ୍ରଣୀ ଇସ୍ପାତ ଏବଂ ଖଣି ହବ୍ ଭାବରେ ଓଡ଼ିଶାର ସ୍ଥିତିକୁ ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଛି। ଇସ୍ପାତ ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଏହା ସହିତ କାରଖାନାକୁ ବିଶ୍ୱସ୍ତରରେ ପ୍ରତିଯୋଗୀତାମୂଳକ କରିବା ପାଇଁ ପ୍ରାୟ ୯,୦୦୦ କୋଟି ଟଙ୍କା ବ୍ୟୟରେ ଆଧୁନିକୀକରଣ କାର୍ଯ୍ୟ କରାଯିବ। ମନ୍ତ୍ରୀ ଶ୍ରୀ କୁମାରସ୍ୱାମୀ ତାଙ୍କ ଗସ୍ତ ସମୟରେ ପ୍ରାୟ ୧,୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ବାର୍ଷିକ ୧ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ଏକ ଅତ୍ୟାଧୁନିକ ସ୍ଲାବ୍ କଷ୍ଟର୍ ୟୁନିଟ୍କୁ ଉଦ୍ଘାଟନ କରିଥିଲେ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏହି ସମ୍ପ୍ରସାରଣ ଦ୍ୱାରା ସ୍ଥାନୀୟ ଯୁବକମାନଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, MSME ଗୁଡ଼ିକ ପାଇଁ ସୁଯୋଗ ବଢ଼ିବ ଏବଂ RSP ଉଚ୍ଚ-ଗୁଣବତ୍ତା ବିଶିଷ୍ଟ ଇସ୍ପାତର ଏକ ପ୍ରମୁଖ ଉତ୍ପାଦକ ଭାବରେ ସ୍ଥାନ ପାଇବ।
Powered by Froala Editor