ପାକିସ୍ତାନର ପ୍ରଥମ ସିଡିଏଫ୍ ହେବେ ମୁନିର
ଇସଲାମାବାଦ: ପାକିସ୍ତାନ ସରକାର ପାର୍ଲାମେଣ୍ଟରେ ୨୭ତମ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିଛନ୍ତି। ଶନିବାର ପାର୍ଲାମେଣ୍ଟରେ ଆଗତ ହୋଇଥିବା ଏହି ବିଲ୍ ଦ୍ବାରା ପାକିସ୍ତାନ ସମ୍ବିଧାନର ଧାରା ୨୪୩ରେ ପରିବର୍ତ୍ତନ କରାଯିବ। ଧାରା ୨୪୩ରେ ପାକିସ୍ତାନ ସୈନ୍ୟ ବାହିନୀର ଗଠନ ପ୍ରକ୍ରିୟା ଓ ଏ ସମ୍ପର୍କିତ ଅନ୍ୟାନ୍ୟ ନିୟମ ରହିଛି। ୨୭ତମ ସମ୍ବିଧାନ ସଂଶୋଧନ ଦ୍ବାରା ପାକିସ୍ତାନ ସୈନ୍ୟ ବାହିନୀରେ ସର୍ବୋଚ୍ଚ କ୍ଷମତାଧାରୀ ପଦ ଚିଫ୍ ଅଫ୍ ଡିଫେନ୍ସ ଫୋର୍ସେସ୍ (ସିଡିଏଫ୍) ସୃଷ୍ଟି କରାଯିବ। ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ଏହି ପଦରେ ନୂଆ ନିଯୁକ୍ତି ପ୍ରଦାନ କରିବେ। ସିଡିଏଫ୍ ପଦ ସୃଷ୍ଟି କରାଯିବା ପରେ ଏହି ସ୍ଥାନରେ ସେନାମୁଖ୍ୟ ଜେନେରାଲ ଅସୀମ୍ ମୁନିରଙ୍କୁ ଅବସ୍ଥାପିତ କରାଯିବ। ମୁନିର ହେବେ ପାକିସ୍ତାନର ପ୍ରଥମ ସିଡିଏଫ୍। ସିଡିଏଫ୍ ପଦ ଧାରଣ ଦ୍ବାରା ମୁନିର ଦେଶର ତିନି ସୈନ୍ୟ ବାହିନୀକୁ ନିଜ ନିୟନ୍ତ୍ରଣରେ ରଖିପାରିବେ।
ଦେଶର ସୈନ୍ୟ ବାହିନୀ ଜଣଙ୍କ ଦ୍ବାରା ନିୟନ୍ତ୍ରିତ ହେବ। ଏହାଦ୍ବାରା ଜେନେରାଲ ମୁନିର ଅଧିକ କ୍ଷମତାଶାଳୀ ହେବେ। ବିଲ୍ରେ ରହିଥିବା ବ୍ୟବସ୍ଥା ଅନୁଯାୟୀ ସେନାମୁଖ୍ୟ ପଦରେ ଯିଏ ରହିବେ ସିଏ ପରବର୍ତ୍ତୀ ସମୟରେ ସିଡିଏଫ୍ ପଦ ଧାରଣ କରିବେ।
Powered by Froala Editor