ନୂଆପଡ଼ା ଉପନିର୍ବାଚନ: ଆଜି ସାରିବ ପ୍ରଚାର, ହାତରେ ବାକି ରହିଛି ଆଉ ମାତ୍ର କେଇ ଘଣ୍ଟା
ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନ ଲାଗି ଚାଲିଥିବା ପ୍ରଚାର ଆଜି ଅପରାହ୍ଣ ୪ଟାରେ ସରିବ। ଏହାପରେ ୪୮ଘଣ୍ଟା ନିରବ ଅବଧି ରହିବ। ନଭେମ୍ବର ୧୧ ସକାଳ ୭ରୁ ମତଦାନ ଆରମ୍ଭ ହେବ। ଏଥିପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ସୁରକ୍ଷା ନିମନ୍ତେ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ପ୍ରଚାର ପାଇଁ ହାତରେ ଆଉ ମାତ୍ର କେଇ ଘଣ୍ଟା ବାକି ରହିଛି। ତିନି ରାଜନୈତିକ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ପକ୍ଷରୁ ଜୋରଦାର ପ୍ରଚାର ଚାଲିଛି। ସ୍ବାଧୀନ ପ୍ରାର୍ଥୀମାନେ ବି ଘରକୁ ଘର ବୁଲି ପ୍ରଚାରରେ ଲାଗି ପଡ଼ିଛନ୍ତି। କଂଗ୍ରେସ, ବିଜେଡି ଓ ବିଜେପିର ରାଜ୍ୟସ୍ତରୀୟ ନେତା ସେମାନଙ୍କ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ଜୋରଦାର ପ୍ରଚାର କରୁଛନ୍ତି। ତିନି ରାଜନୈତିକ ଦଳର ପ୍ରାର୍ଥୀ ପାଟ ପଟୁଆର ନେଇ ଗାଁ ଓ ସହରାଞ୍ଚଳରେ ସଭାସମିତି କରି ପ୍ରଚାର କରୁଛନ୍ତି।
ଆସନ୍ତା ୧୧ ତାରିଖରେ ମତଦାନ ହେବ। ଏଥିପାଇଁ ସୋମବାର ସକାଳୁ ପୋଲିଂ ଦଳ ଏବଂ ଜଣେ ଲେଖାଏଁ ସୁରକ୍ଷା କର୍ମୀ ବୁଥ୍ ଅଭିମୁଖେ ବାହାରିବେ। ମୋଟ ୩୫୮ ବୁଥ୍ରେ ଭୋଟ ଗ୍ରହଣ କରାଯିବ। ତନ୍ମଧ୍ୟରୁ ୩୧୧ ବୁଥ୍ରେ ସକାଳ ୭ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ମତଦାନ ସମୟ ରହିଛି। ଅବଶିଷ୍ଟ ୪୭ ବୁଥ୍ରେ ସକାଳ ୭ରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଅପରାହ୍ଣ ୪ରେ ସରିବ। ସୁରକ୍ଷାକୁ ଦେଖି ଅତି ସମ୍ବେଦନଶୀଳ ବୁଥ୍ଗୁଡ଼ିକରେ ଅପରାହ୍ଣ ୪ଟାରେ ମତଦାନ ସାରିବାକୁ ଲକ୍ଷ୍ୟ ରଖାଯାଇଛି।
Powered by Froala Editor