ବିଶ୍ବ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା ଆଜିଠୁ ଆରମ୍ଭ
କଟକ: ବିଶ୍ବ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା ଆଜି ଠାରୁ ଆରମ୍ଭ ହେଉଛି। ଏହି ସର୍ବବୃହତ ମୁକ୍ତାକାଶ ବାଣିଜ୍ୟ ମେଳାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିବେ। ଚଳିତଥର ଓଡ଼ିଆ ଅସ୍ମିତାକୁ ଗୁରୁତ୍ବ ଦିଆଯିବା ସହ ଓଡ଼ିଆ ସାହିତ୍ୟର ପ୍ରଚାର ପ୍ରସାର କରାଯିବ। ପ୍ରଥମ ଥର ପାଇଁ ବାଲିଯାତ୍ରାରେ ଇଣ୍ଡୋନେସିଆ ସହଭାଗୀ ରାଷ୍ଟ୍ର ଭାବେ ଭାଗ ନେବ। ସେମାନଙ୍କର କଳା ସଂସ୍କୃତି ସହ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ନେଇ ସ୍ବତନ୍ତ୍ର ପ୍ରଦର୍ଶନୀ ହେବ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଇଣ୍ଡୋନେସିଆର ଏକ ସ୍ବତନ୍ତ୍ର ସାଂସ୍କୃତିକ ଦଳ ନୃତ୍ୟ ପରିବେଷଣ କରିବେ।
ମୁଖ୍ୟମନ୍ତ୍ରୀଙ୍କ ସମେତ ଅତିଥି ଭାବେ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ଇନା. ଏଚ କ୍ରୀଷ୍ଣମୂର୍ତ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ଭର୍ତ୍ତୃହରି ମହତାବ, ବିଭୁପ୍ରସାଦ ତରାଇ, ଦେବାଶିଷ ସାମନ୍ତରାୟଙ୍କ ସମେତ ଜିଲାର ସମସ୍ତ ବିଧାୟକ ଅତିଥି ଭାବେ ଯୋଗଦେବେ। ସେହିଭଳି ବିଭିନ୍ନ ଦିନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଏବଂ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ଉଦ୍ଯାପନୀ ଉତ୍ସବରେ ରାଜ୍ୟପାଳ ଡ ହରିବାବୁ କମ୍ଭମପାଟି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ପ୍ରାୟ ୧୬୬୦ ରୁ ଅଧିକ ଷ୍ଟଲ ଏଥର ପଡ଼ିଆରେ ପଡ଼ିଥିବାବେଳେ ବିଭିନ୍ନ ନୂତନତ୍ବ ଦେଖିବାକୁ ମିଳିବ।
Powered by Froala Editor