ନୂଆପଡା ପ୍ରଚାର ମଇଦାନକୁ ଓହ୍ଲାଇଲେ ନବୀନ
ନୂଆପଡା ପ୍ରଚାର ମଇଦାନକୁ ଓହ୍ଲାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପି ସରକାର ଉପରେ ଜୋରଦାର ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ, ନୂଆପଡ଼ା ସହ ବିଜେପି ବେଇମାନୀ କରିଛି । କେବଳ ବଡ଼ ବଡ଼ କଥା କହି ଲୋକଙ୍କୁ ଭୂଆଁ ବୁଲାଇଛନ୍ତି । ୩ ୟୁନିଟ୍ ବିଜୁଳି କୁହାଡ଼େ ଗଲା ? ସବୁ ବରିଷ୍ଠ ନାଗରିକଙ୍କୁ ୩୫ଶହ ଟଙ୍କାର ପେନସନ ମିଳୁଛି କି ? କେତେ ଲୋକଙ୍କୁ ଚାକିରି ଦେଇଛି ବିଜେପି ? ଖାଲି ପବ୍ଲିସିଟିରେ ହିରୋ, କାମରେ ଜିରୋ ବିଜେପି ସରକାର । ସ୍ନେହାଙ୍ଗିନୀ ଛୁରିଆଙ୍କୁ ଭୋଟ୍ ଦେଇ ନୂଆପଡ଼ାବାସୀ ବିଜେପିକୁ କଡ଼ା ଜବାବ ଦେବାକୁ ସେ ଅପିଲ କରିଛନ୍ତି ।
କୋମନା ତରବୋଡାରେ ନୂଆପଡାବାସୀଙ୍କୁ ନବୀନ ସମ୍ବୋଧନ କରି ଏଭଳି ଜୋରଦାର ଆକ୍ରମଣ କରିଛନ୍ତି । ଜୟ ମା’ ମାଣିକେଶ୍ଵରୀ ସମ୍ବୋଧନ ସହ ଆରମ୍ଭ ହୋଇଥିଲା ନବୀନଙ୍କ ଆକ୍ରମଣ । ସେ କହିଥିଲେ, ନୂଆପଡ଼ା ଆସିଲେ ବିଜୁବାବୁଙ୍କ କଥା ମନେପଡ଼େ । ବିଜୁବାବୁ ହିଁ ନୂଆପଡ଼ା ଜିଲ୍ଲା ଗଢ଼ିଥିଲେ । ବିଜେଡି ସରକାରରେ ନୂଆପଡ଼ାର ବିକାଶ ଯୋଡ଼ି ହୋଇଥିଲା । ଆମ ସରକାର ସମୟରେ ବିଜୁ ଏକ୍ସପ୍ରେସ ୱେ ହୋଇଥିଲା । ୧୦ ହଜାରରୁ ଅଧିକ ହେକ୍ଟର ଜମି ଜଳସେଚିତ ହୋଇଥିଲା । ବିଜେପିକୁ ଆକ୍ରମଣ କରି ସେ କହିଥିଲେ ଯେ, ଆଗରୁ ଭୋଟ ଚୋରି କରି ସରକାର କରିଥିଲେ,ଆଉ ଏବେ ପ୍ରାର୍ଥୀ ଚୋରି କରିଛନ୍ତି । ବିଜେପି ସରକାରରେ ବିକାଶ କିଛି ନାହିଁ । ଏହା ସହ ସେ ବିଜେପିକୁ ଅନେକ ପ୍ରଶ୍ନ ପଚାରିଥିଲେ ।
ଶେଷରେ ସେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ୍ ଦେବା ପାଇଁ ନିବେଦନ କରି କହିଥିଲେ ଯେ, ଆପଣ ମାନେ ବିଜୁ ଜନତା ଦଳକୁ ଆଶୀର୍ବାଦ କରନ୍ତୁ । ମାଆ ମାନଙ୍କୁ ମୋର ଗୁହାରୀ, ମାତେ ଆଶୀର୍ବାଦ କରନ୍ତୁ । ଶେଷ ଜୀବନ ଯାଏ ବିକାଶ ପାଇଁ କାମ କରିବି ବୋଲି ନବୀନ ପଟ୍ଟନାୟକ କହିଛନ୍ତି ।
Powered by Froala Editor