ଖୋଲିଲା ସୁଭଦ୍ରା ପୋର୍ଟାଲ୍ , ୩୦ ପର୍ଯ୍ୟନ୍ତ କରି ହେବ ଆବେଦନ
୨୦୨୫-୨୬ ଆର୍ଥିକ ବର୍ଷରେ ନୂତନ ପଞ୍ଜିକରଣ ପାଇଁ ଖୋଲିଛି ସୁଭଦ୍ରା ପୋର୍ଟାଲ୍ । ନୂତନ ପଞ୍ଜିକରଣ ପାଇଁ ନଭେମ୍ବର ୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଆବେଦନ କରି ହେବ । ଆଦର୍ଶ ଆଚରଣ ବିଧି ପାଳନ ଦୃଷ୍ଟିରୁ ନୂଆପଡ଼ା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ଏହି ପୋର୍ଟାଲ୍ ଉପଲବ୍ଧ ହେବ ।
ସୂଚନାଯୋଗ୍ୟ, ଶୁକ୍ରବାର ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ସୁଭଦ୍ରା ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ଏହି ଘୋଷଣା କରି ଥିଲେ।
ନୂତନ ଯୋଗ୍ୟ ମହିଳାମାନେ ଯେଉଁମାନଙ୍କ ବୟସ ୧ ଅପ୍ରେଲ, ୨୦୨୫ ସୁଦ୍ଧା ୨୧ ବର୍ଷ କିମ୍ବା ତଦୁର୍ଦ୍ଧ ହୋଇଥିବ ଓ ଏହି ଯୋଜନା ଅନ୍ତର୍ଗତ ସମସ୍ତ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିବେ ସେମାନେ ସୁଭଦ୍ରା ସହାୟତା ରାଶି ଲାଗି ଆବେଦନ କରିପାରିବେ । ଏଥିସହ ଯେଉଁମାନେ ଗତ ଆର୍ଥିକ ବର୍ଷରେ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ଥାଇ ମଧ୍ୟ ଆବେଦନ କରିପାରି ନ ଥିଲେ, ସେମାନଙ୍କୁ ପୁଣିଥରେ ଚଳିତ ବର୍ଷ ଆବେଦନ ପାଇଁ ସୁଯୋଗ ଦିଆଯାଇଛି । ନୂଆପଡ଼ା ଜିଲ୍ଲା ବ୍ୟତୀତ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟରେ ବିନା ଦେୟରେ ସୁଭଦ୍ରା ଆବେଦନ ପତ୍ର ଉପଲବ୍ଧ ହେବ ।
Powered by Froala Editor