ପିଲାଙ୍କ ସ୍ମରଣଶକ୍ତି କମାଉଛି ରିଲ୍ସ, ଶର୍ଟ ଭିଡିଓ
ଦିନକୁ ଦିନ ମୋବାଇଲ ଯେମିତି ନିଶା ପାଲଟିଗଲାଣି । ପିଲାଠୁ ବୁଢ଼ା ସମସ୍ତେ ପାଗଳପ୍ରାୟ ହୋଇଗଲେଣି । ଖାସ୍ କରି ପିଲାଙ୍କ ଠାରେ ରିଲ୍ସ ଦେଖା, ଗେମ୍ ଖେଳିବା ଚିନ୍ତାଜନକ ହୋଇଛି । ଏହା ସେମାନଙ୍କ ସ୍ୱାସ୍ଥ୍ୟକୁ ଗମ୍ଭୀର ଭାବେ ପ୍ରଭାବିତ କରୁଛି । ମୋବାଇଲ ନିଶା ଯୋଗୁ ସେମାନଙ୍କ ମାନସିକ ସ୍ଥିତି ବିଗୁଡ଼ୁଛି । ଉତ୍ତରାଖଣ୍ଡରେ ଥିବା ସୁଶୀଲା ତିୱାରୀ ହସ୍ପିଟାଲ(ଏସ୍ଟିଏଚ୍)ର ମାନସିକ ରୋଗ ଡାକ୍ତର ଯୁବରାଜ ପନ୍ତ କହିଛନ୍ତି, ରିଲ୍ ଏବଂ ଶର୍ଟ ଭିଡିଓ ପିଲାଙ୍କ ମସ୍ତିଷ୍କକୁ ଲଗାତର ବଦଳୁଥିବା ଛବି ପ୍ରତି ଆସକ୍ତ କରାଉଛି । ଫଳରେ ସେମାନେ କୌଣସି ଗୋଟିଏ କାମରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଧ୍ୟାନ କେନ୍ଦ୍ରୀଭୂତ କରିପାରୁନାହାନ୍ତି । ଏଥିଯୋଗୁ ପିଲାଙ୍କ ସ୍ମରଣ ଶକ୍ତି ଉପରେ ମଧ୍ୟ କୁପ୍ରଭାବ ପଡ଼ୁଛି ।
ଡାକ୍ତରଙ୍କ ଅନୁସାରେ, ପିଲାଙ୍କୁ ସେମାନଙ୍କ ଅଭିଭାବକ ଅଫ୍ଲାଇନ ଗତିବିଧି ଯେପରି ସନ୍ଧ୍ୟାରେ ଏକାଠି ଚାଲିବା, ପରିବାର ସହ କଥାବାର୍ତ୍ତା, ସାଙ୍ଗମାନଙ୍କ ସହ ପଡ଼ିଆରେ ଖେଳିବା ଆଦି ଲାଗି ପ୍ରେରିତ କରିବା ଉଚିତ । ଘରର ମାହୋଲ ଖୁସି ରହିଲେ ପିଲାମାନେ ପରିବାର ସହ ଜଡ଼ିତ ହୋଇପାରିବେ ଏବଂ ନିଜକୁ ସ୍କ୍ରିନ୍ରୁ ଦୂରେଇ ରଖିପାରିବେ ।
ନିକଟରେ ଏସ୍ଟିଏଚ୍ ହସ୍ପିଟାଲର ମାନସିକ ରୋଗ ବିଭାଗକୁ ପ୍ରତି ସପ୍ତାହରେ ୪ରୁ ୫ ଶିଶୁ ଏପରି ସମସ୍ୟା ନେଇ ଆସୁଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ପିଲାଙ୍କ ବୟସ ୧୨ରୁ ୧୭ ବର୍ଷ ମଧ୍ୟରେ ହେବ । ମୋବାଇଲ ନିଶା ଯୋଗୁ ସେମାନଙ୍କ ଫୋକସ୍ କମିବା ସହ ଅତିମାତ୍ରାରେ ଚିଡ଼ିଚିଡ଼ାପଣ ଦେଖାଯାଉଛି । ପ୍ରଥମେ ବାପା ମା’ ନିଜ ସୁବିଧା ପାଇଁ ତାଙ୍କ ହାତରେ ମୋବାଇଲ ଧରାଇ ଦେଉଛନ୍ତି । କିନ୍ତୁ ପରେ ସେହି ପିଲାମାନେ ଫୋନ୍ ନିଶାରେ ପଡ଼ିଯାଉଛନ୍ତି । ଏଥିଯୋଗୁ ପିଲାଙ୍କ ସାମାଜିକ ଜୀବନ ଯାତ୍ରା କମିଯାଉଛି ।
ପିଲାମାନେ ଏବେ ପରିବାର ଅପେକ୍ଷା ସ୍କ୍ରିନ୍ ସହ ଜଡ଼ିତ ହେବାକୁ ବେଶୀ ପସନ୍ଦ କରୁଛନ୍ତି । ଏହା ସେମାନଙ୍କ ଆଚରଣ ଏବଂ ଭାବନାତ୍ମକ ସନ୍ତୁଳନକୁ ପ୍ରଭାବିତ କରୁଛି । ବିଶେଷଜ୍ଞଙ୍କ ମତରେ, ଅତିମାତ୍ରାରେ ମୋବାଇଲ ବ୍ୟବହାର ଦ୍ୱାରା ପିଲାଙ୍କ ପାଠପଢ଼ାରେ ମନ ଲାଗୁନି । କୌଣସି ଜିନିଷ କିମ୍ବା କାର୍ଯ୍ୟରେ ଧ୍ୟାନ କେନ୍ଦ୍ରୀଭୂତ କରିବା କ୍ଷମତା କମୁଛି । ସୋସିଆଲ ମିଡିଆରେ ନକାରାତ୍ମକ କଣ୍ଟେଣ୍ଟ ସେମାନଙ୍କ ମଧ୍ୟରେ ଚିନ୍ତା, ମାନସିକ ଦୁଃଶ୍ଚିନ୍ତା ଏବଂ କ୍ରୋଧ ବଢ଼ାଉଛି । ସ୍ମରଣ ଶକ୍ତି କମୁଛି ।
ଅନ୍ୟପକ୍ଷରେ ମୋବାଇଲ ନିଶାରେ ପାଗଳ ହୋଇ ପିଲାମାନେ ଅନେକ ସମୟରେ ସମସ୍ୟା ସୃଷ୍ଟି କରିବା ସହ ନିଜେ ସମସ୍ୟାରେ ମଧ୍ୟ ପଡ଼ୁଛନ୍ତି । ହଲଦ୍ୱାନିରେ ଜଣେ ଏକାଦଶ ଛାତ୍ରଙ୍କୁ ତାଙ୍କ ବାପାମା’ ଇଣ୍ଟରନେଟ ଦେବେନାହିଁ ବୋଲି କହିବା ପରେ ସେ ଘର ଛାଡ଼ି ପଳାଇଥିଲେ । ପୁଲିସ ପରେ ଛାତ୍ରଙ୍କୁ ଦିଲ୍ଲୀରୁ ଠାବ କରିଥିଲା । ଆଉ ଜଣେ ୧୦ମ ଛାତ୍ରଙ୍କୁ ତାଙ୍କ ପରିବାର ମୋବାଇଲ ଅଧିକ ସମୟ ନ ଧରିବାକୁ ତାଗିଦ୍ କରିବାରୁ ସେ ସ୍କୁଲ ଯିବା ବନ୍ଦ କରିଦେଇଥିଲେ । ପରେ ଡାକ୍ତର ତାଙ୍କ କାଉନ୍ସେଲିଂ କରାଇବାରୁ ସେ ଏବେ ମାନସିକ ଭାବେ ସ୍ଥିର ଥିବା ଜଣାପଡ଼ିଛି ।
Powered by Froala Editor