ନିର୍ବାଚନ ଆୟୋଗଙ୍କ ଦୃଷ୍ଟିକୁ ଆସିବାର ୩ ଘଣ୍ଟା ମଧ୍ୟରେ ହଟିବ ବିଭ୍ରାନ୍ତିକର ପୋଷ୍ଟ
ଭୁବନେଶ୍ୱର: କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ପ୍ରସ୍ତୁତ ଭିଡିଓ, ଅଡିଓ ସହାୟତାରେ ନିର୍ବାଚନ ପ୍ରଚାର କରିବାରେ ସମସ୍ୟା ନାହିଁ। ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ସୀମା ମଧ୍ୟରେ ରହି ଏଆଇର ଉପଯୋଗ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ନୂଆପଡ଼ା ଉପ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ସମସ୍ତ ରାଜନୈତିକ ଦଳ, ପ୍ରାର୍ଥୀ ଏବଂ ସେମାନଙ୍କ ପ୍ରଚାର ପ୍ରତିନିଧିଙ୍କୁ ସତର୍କ କରାଇଛନ୍ତି। ଡିପ୍ େଫକ୍ ଅବା କପୋଳକଳ୍ପିତ ଭିଡିଓ, ଅଡିଓ ଜରିଆରେ ନିର୍ବାଚନକୁ ପ୍ରଭାବିତ କରିବା କାର୍ଯ୍ୟରୁ ବିରତ ରହିବା ପାଇଁ ନିବେଦନ କରାଯାଇଛି। ଆପତ୍ତିଜନକ ଏବଂ ବିଭ୍ରାନ୍ତିକର ପୋଷ୍ଟକୁ ସାମାଜିକ ଗଣମାଧ୍ୟମରୁ ତିନି ଘଣ୍ଟା ମଧ୍ୟରେ ହଟାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି।
ସିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ଆଇଟି ନିୟମ-୨୦୨୧ ଏବଂ ଏସମ୍ପର୍କିତ ଜାରି ସମସ୍ତ ନିର୍ଦେଶାବଳୀର ଅନୁପାଳନ କରି ପ୍ରଚାର କିମ୍ବା ସାମାଜିକ ଗଣମାଧ୍ୟମରେ ପ୍ରଦର୍ଶନ ପାଇଁ ଏଆଇ ଦ୍ବାରା ପ୍ରସ୍ତୁତ ଭିଡିଓ, ଅଡିଓ ଆଦି ଦାୟିତ୍ବର ସହ କରାଯିବା ଆବଶ୍ୟକ। ସବୁ ଭିଡିଓରେ ପ୍ରସ୍ତୁତକର୍ତ୍ତା ସଂସ୍ଥାର ନାମ ମେଟା ଡାଟା କିମ୍ବା ସଂଲଗ୍ନ କ୍ୟାପସନରେ ସ୍ପଷ୍ଟ ଭାବେ ଲେଖା ରହିବ। ଅଫିସିଆଲ୍ ପାର୍ଟି ହ୍ୟାଣ୍ଡେଲରେ ଥିବା କୌଣସି କୃତ୍ରିମ ଭାବେ ପ୍ରସ୍ତୁତ ଫଟୋ, ଅଡିଓ, ଭିଡିଓ, ଭୁଲ ସୂଚନା ନିର୍ବାଚନ ଆୟୋଗଙ୍କ ଦୃଷ୍ଟିକୁ ଆସିବାର ୩ ଘଣ୍ଟା ମଧ୍ୟରେ ହଟାଇ ଦିଆଯିବ। ରାଜନୈତିକ ଦଳଗୁଡ଼ିକ ଏଆଇ ପ୍ରସ୍ତୁତ କର୍ତ୍ତାଙ୍କ ବିବରଣୀ ଏବଂ ପ୍ରସ୍ତୁତିର ରେକର୍ଡ ରଖିବେ ଏବଂ ନିର୍ବାଚନ ଆୟୋଗଙ୍କ ନିର୍ଦେଶରେ ଯାଞ୍ଚ ପାଇଁ ଉପଲବ୍ଧ କରାଇବେ।
Powered by Froala Editor