କ୍ୟାବିନେଟରେ ୧୨ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
ରାଜ୍ୟ କ୍ୟାବିନେଟର ୨୯ତମ ବୈଠକରେ ୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୪ଟି ବିଭାଗର ୫ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି। ୧୨ଟି ଶିଳ୍ପ ପ୍ରକଳ୍ପ ପାଇଁ ୧ ଲକ୍ଷ ୪୨ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ୭ଟି ସେକ୍ଟରରେ ୯ଟି ଜିଲ୍ଲାରେ ଏହି ପ୍ରକଳ୍ପ ହେବ। ଏହାଦ୍ୱାରା ୫୦ ହଜାର ନିଯୁକ୍ତି ସୃଷ୍ଟି ହେବ। ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଏଥିରେ ଆଦାନୀ ଗ୍ରୁପ ୧୨ଟି ପ୍ରକଳ୍ପ ମାଧ୍ୟମରେ ବଡ଼ ପୁଞ୍ଜିନିବେଶ କରିବ। ଗ୍ରୁପ କୋଇଲାରୁ କେମିକାଲ ପ୍ରସ୍ତୁତି ଶିଳ୍ପ ପାଇଁ ୮୪ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବ। ସେହିପରି ସ୍ପେସିଆଲ ଷ୍ଟିଲ ଶିଳ୍ପ, ସେମିକଣ୍ଡକ୍ଟର, ଗ୍ରୀନ ଏନର୍ଜି, ସୋଲାର ଶିଳ୍ପ ପାଇଁ ଅନୁମୋଦନ ମିଳିଛି।
ଏନେଇ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି, ରାଜ୍ୟରେ ନୂଆ ସରକାର ଆସିବାର ୫୦୦ ଦିନ ଭିତରେ ବର୍ତ୍ତମାନ ସୁଦ୍ଧା ୩୨୯ଟି ପ୍ରକଳ୍ପକୁ ୭ ଲକ୍ଷ ୬୬ ହଜାର କୋଟିରୁ ଅଧିକର ପୁଞ୍ଜିନିବେଶ ଅନୁମୋଦନ ଦେଇଛନ୍ତି। ସେଥିମଧ୍ୟରୁ ୮୪ଟି ପ୍ରକଳ୍ପ ଗ୍ରାଉଣ୍ଡ ବ୍ରେକିଂ କରି କାମ ଆରମ୍ଭ ହୋଇଛି। ୪ ଲକ୍ଷ ୬୮ ହଜାରରୁ ଅଧିକ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେଇଛି। ୨ ଲକ୍ଷ ୪ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି। ଯାହା ଦ୍ୱାରା ୧ ଲକ୍ଷ ୬୪ ହଜାର ନିଯୁକ୍ତି ସୁନିଶ୍ଚିତ ହୋଇଛି।
ମୁଖ୍ୟ ଶାସନ ସଚିବ କହିଛନ୍ତି, ଆଜି କ୍ୟାବିନେଟ୍ରେ ଅନୁମୋଦନ ମିଳିଥିବା ପ୍ରସ୍ତାବ ମଧ୍ୟରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଗୋଟିଏ, କୃଷି ଓ କୃଷକ ସଶକ୍ତି କରଣ ବିଭାଗର ଗୋଟିଏ, ବାଣିଜ୍ୟ ଓ ପରିବହନ ବିଭାଗର ଗୋଟିଏ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ୨ଟି ସାମିଲ ରହିଛି।
ଆଗାମୀ ୧୦ ବର୍ଷ ପାଇଁ ୨୦୦ଟି ଇ-ବସ୍ ରାଜ୍ୟରେ ଚାଲିବ। ଏଥିରେ ପ୍ରଥମକରି ଅନୁଗୁଳ, ଝାରସୁଗୁଡ଼ା, କେଉଁଝର ଓ ବାରିପଦାରେ ୨୫ ଲେଖାଏଁ ନୂଆ ଇ-ବସ୍ ଚାଲିବ। ସେହିଭଳି ବ୍ରହ୍ମପୁର ଓ ସମ୍ବଲପୁର ୫୦ ବସ୍ ଚାଲିବ। ଏଥିପାଇଁ ୯୫୨.୫୬ କୋଟି ଟଙ୍କା ଖର୍ଚ୍ଚ ହେବ
ବିମାନ ଚଳାଚଳ କ୍ଷେତ୍ର ପାଇଁ ଭିତ୍ତିଭୂମି ବିକାଶ ଓ ଆଧୁନୀକରଣ ପାଇଁ ଖର୍ଚ୍ଚ ହେବ ୪.୧୮୨ କୋଟି ଟଙ୍କା। ଏହାକୁ କ୍ୟାବିନେଟ୍ର ମୋହର ବାଜିଛି। ସେହିପରି ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା ଅନ୍ତର୍ଗତ କ୍ଷୁଦ୍ର ପ୍ରାଣୀ ଉନ୍ନୟନ ଉପ ଯୋଜନା ଆସନ୍ତା ୪ ବର୍ଷ ପାଇଁ ୨୯୪.୩୬ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହି ଯୋଜନା ଦ୍ୱାରା ୨୩ ହଜାର ୭୩୫ କୃଷକ ଉପକୃତ ହେବେ। ରାଜ୍ୟର ଅତିରିକ୍ତ ଭାବେ ୫.୨ କେଜି ମୁଣ୍ଡା ପିଛା ବାର୍ଷିକ ମାଛ, ୭.୪ କେଜି ମୁଣ୍ଡା ପିଛା ବାର୍ଷିକ ମାଂସ ଉତ୍ପାଦନ ବୃଦ୍ଧି ହେବ। ଫସଲ ବିବିଧିକରଣ କାର୍ଯ୍ୟକ୍ରମ ପାଇଁ ୩ ବର୍ଷରେ ଖର୍ଚ୍ଚ ହେବ ୧୫୨୩.୯୮ କୋଟି ଟଙ୍କା।
Powered by Froala Editor