ଏସ୍ଆଇ ନିଯୁକ୍ତି ଦୁର୍ନୀତି ମାମଲା: ମୁନା ମହାନ୍ତି ଘରେ କ୍ରାଇମବ୍ରାଞ୍ଚର ଚଢ଼ଉ
ଭୁବନେଶ୍ବର: ପୁଲିସ ଏସ୍ଆଇ ନିଯୁକ୍ତି ଦୁର୍ନୀତି ମାମଲାରେ କ୍ରାଇମବ୍ରାଞ୍ଚ ଗିରଫ ଦଲାଲ ମୁନା ମହାନ୍ତି ଘରେ ଚଢ଼ଉ କରିଛି। ଆଶାୟୀ ପ୍ରାର୍ଥୀଙ୍କୁ ବସ୍ ଯୋଗେ ଆନ୍ଧ୍ର ପ୍ରଦେଶ ନେବା ପାଇଁ ପ୍ରାର୍ଥୀମାନେ ଯେଉଁ ଅରିଜିନାଲ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଓ ବ୍ଲାଙ୍କ ଚେକ୍ ଦେଇଥିଲେ, ତାହା ଦଲାଲ ମୁନା ପାଖରେ ଥିବା କ୍ରାଇମବ୍ରାଞ୍ଚ ନିକଟରେ ସୂଚନା ରହିଛି। ଏହି ସୂଚନାକୁ ଆଧାର କରି ପରୀକ୍ଷାର୍ଥୀଙ୍କ ସାର୍ଟିଫିକେଟ ଆଦି ଜବତ ଲାଗି ତଦନ୍ତକାରୀ ସଂସ୍ଥା ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଏଥିସହ ମୁନାର ସମ୍ପତ୍ତିକୁ ନେଇ ମଧ୍ୟ କ୍ରାଇମବ୍ରାଞ୍ଚ ତନାଘନା ଚଳାଇଛି।
କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟରଙ୍କ ନେତୃତ୍ବରେ ତିନିଜଣିଆ ଦଳ ଏହି ଚଢ଼ଉ କରିଥିଲେ। ସେତେବେଳେ ଘରେ ମୁନାଙ୍କ ମାଆ ଥିଲେ। ମାଆଙ୍କ ଉପସ୍ଥିତିରେ କ୍ରାଇମବ୍ରାଞ୍ଚ ଦଳ ତନ୍ନତନ୍ନ କରି ଯାଞ୍ଚ କରି କିଛି ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍ ଉଦ୍ଧାର କରିଥିବା ସୂଚନା ମିଳିଛି। ଅପରାହ୍ଣ ସାଢ଼େ ଦୁଇଟା ପର୍ଯ୍ୟନ୍ତ ଏହି ଚଢ଼ଉ ଜାରି ରହିଥିଲା। ବର୍ଷକ ମଧ୍ୟରେ ମୁନା ମହାନ୍ତି ଏହି ଅଟ୍ଟାଳିକା ନିର୍ମାଣ କରିଥିବା ସ୍ଥାନୀୟ ଲୋକମାନେ କ୍ରାଇମବ୍ରାଞ୍ଚ ଦଳକୁ ସୂଚନା ଦେଇଛନ୍ତି।
ନୟାଗଡ଼ ଜିଲା ଦଶପଲ୍ଲା ଅଞ୍ଚଳରେ ମୁନାର ଦୁଇଟି ହାଇୱା ଗାଡ଼ି ଥିବା ଓ ସେ ଏସ୍ୟୁଭି ଗାଡ଼ି ବ୍ୟବହାର କରୁଥିବା କ୍ରାଇମବ୍ରାଞ୍ଚ ଦଳ ସୂଚନା ପାଇଛନ୍ତି।
Powered by Froala Editor