ମାଓବାଦୀଙ୍କୁ ସମାଜର ମୂଖ୍ୟସ୍ରୋତକୁ ଆଣିବା ପାଇଁ ସଚେତନତା ଅଭିଯାନ ଆରମ୍ଭ
ଫୁଲବାଣୀ: ପୁଲିସର ସମସ୍ତ ପ୍ରୟାସ ସତ୍ବେ କନ୍ଧମାଳ ଜିଲ୍ଲା ସମ୍ପୂର୍ଣ୍ଣ ରୂପେ ମାଓମୁକ୍ତ ହୋଇ ପାରିନାହିଁ। ଜିଲାର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ଦ୍ୱାରା କିଛି କିଛି ଘଟଣା ଓ ଦୁର୍ଘଟଣା ଓ ଉପସ୍ଥିତି ମଧ୍ୟ ପୁଲିସ୍ ପାଇଁ ଚିନ୍ତାର କାରଣ ହୋଇଛି । ଇତି ମଧ୍ୟରେ ଅନେକ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଅନେକ ମାଓବାଦୀ ଏନକାଉଣ୍ଟରର ଶୀକାର ମଧ୍ୟ ହୋଇଛନ୍ତି । ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ସୁରକ୍ଷା ବାହିନୀ ପକ୍ଷରୁ ନୂତନ ରଣନୀତି ପ୍ରସ୍ତୁତ କରାଯାଇ ୨୦୨୬ ସୁଦ୍ଧା ଜିଲାକୁ ମାଓମୁକ୍ତ କରିବା ଲକ୍ଷ୍ୟ ରଖାଯାଇଛି।
ଏଭଳି ସ୍ଥିତିରେ ମାଓବିରୋଧୀ କାର୍ଯ୍ୟକଳାପ ରୋକିବା ସହିତ ଲାଲବାହିନୀର ସଦସ୍ୟ ମାନଙ୍କୁ ମୂଖ୍ୟସ୍ରୋତକୁ ଫେରାଇ ଆଣିବା ପାଇଁ ପୁଲିସ ପକ୍ଷରୁ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ, ବିଶେଷ କରି ମାଓ ପ୍ରଭାବିତ ଫିରିଙ୍ଗିଆ ଓ ଗୋଚ୍ଛାପଡା ଅଞ୍ଚଳରେ ପୋଷ୍ଟର ମାରି ଲୋକଙ୍କୁ ସଚେତନ କରାଯିବା ସହିତ ମାଓବାଦୀଙ୍କୁ ସମାଜର ମୂଖ୍ୟସ୍ରୋତକୁ ଫେରି ଆସିବା ପାଇଁ ଆହ୍ବାନ ଦିଆଯାଇଛି। ଉପାନ୍ତ ଅଞ୍ଚଳର ବିଭିନ୍ନ ସ୍ଥାନରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ସଚେତନତା ପୋଷ୍ଟର ଲଗାଯାଇଛି । ଓଡ଼ିଆ ସହିତ ଆଦିବାସୀ ଭାଷାରେ ଏହି ପୋଷ୍ଟର ମରାଯାଇଛି।
Powered by Froala Editor