ମୂଲ୍ୟବାନ ଜମି ମାଲିକାନାକୁ କେନ୍ଦ୍ରକରି ସଂଘର୍ଷ, ୧୬୩ ଧାରା ଜାରି
ସାନଖେମୁଣ୍ଡି: ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ପଞ୍ଚାୟତର ରତ୍ନମଣିପୁର ରାସ୍ତାକଡ଼ର ବେବର୍ଷା ପୋଖରୀ ସଂଲଗ୍ନ ମୂଲ୍ୟବାନ ଜମିର ମାଲିକାନାକୁ କେନ୍ଦ୍ରକରି ସଂଘର୍ଷର ସୂତ୍ରପାତ ହୋଇଛି। ସିଙ୍ଗିପୁର ଏବଂ ରତ୍ନମଣିପୁର ଗ୍ରାମବାସୀଙ୍କ ମଧରେ ଦୀର୍ଘଦିନ ଧରି ଲାଗି ରହିଥିବା ବିବାଦ ଗୁରୁବାର ଅପରାହ୍ନରେ ଉଗ୍ରରୂପ ନେଇଥିଲା। ବ୍ରହ୍ମପୁର ଉପଜିଲାପାଳ ଅବିନାଶ କୁମାରଙ୍କ ଉପସ୍ଥିତିରେ ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ୧୬୩ ଧାରା ଜାରି କରାଯାଇଛି । ୨ ଜଣରୁ ଅଧିକ ଲୋକ ରାସ୍ତାରେ ବୁଲିଲେ ସେମାନଙ୍କୁ ଗିରଫ କରାଯିବ ବୋଲି ଡାକବାଜି ଯନ୍ତ୍ର ଦ୍ବାରା ଘୋଷଣା କରାଯାଇଛି।
ଡେଙ୍ଗାଓସ୍ତା ଗ୍ରାମରୁ ସିଙ୍ଗିପୁରକୁ ଗଲାବେଳେ ରତ୍ନମଣିପୁର ମୌଜାରେ ଥିବା ପଞ୍ଚାୟତର ସରକାରୀ ଜମିକୁ ଉଭୟ ଗ୍ରାମର ବହୁ ସଂଖ୍ୟକ ବ୍ୟକ୍ତି ଦୀର୍ଘ ୫୦ ବର୍ଷ ହେଲା ଜବରଦଖଲ କରି ସେଥିରେ ଅସ୍ଥାୟୀ ଦୋକାନ ଘର ନିର୍ମାଣ କରି ବ୍ୟବସାୟ କରୁଥିଲେ। କିଛିଦିନ ପୂର୍ବେ ପ୍ରଶାସନ ପକ୍ଷରୁ ପୁଲିସ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା । ଡେଙ୍ଗାଓସ୍ତା ଏବଂ ରତ୍ନମଣିପୁର ଗ୍ରାମର କିଛି ବ୍ୟକ୍ତି ଓ ବ୍ୟବସାୟୀଙ୍କ ଉଦ୍ୟମ କ୍ରମେ ସେଠାରେ ଥିବା ପୋଖରୀକୁ ପୋତାଯାଇ ଶ୍ରୀ ହନୁମାନଙ୍କ ମୂର୍ତ୍ତି ସ୍ଥାପନ କରାଯିବା ସହ ପ୍ରତିଷ୍ଠା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିଲା। ଏହାକୁ ସିଙ୍ଗିପୁର ଗ୍ରାମବାସୀ ବିରୋଧ କରିଥିଲେ। ସେଠାରେ ପଞ୍ଚାୟତ ପକ୍ଷରୁ ମାର୍କେଟ କମ୍ପ୍ଲେକ୍ସ, ବସଷ୍ଟାଣ୍ଡ, ବାଇକ ଓ ସାଇକଲ ଷ୍ଟାଣ୍ଡ କରିବାକୁ ପ୍ରସ୍ତାବ ରହିଥିଲା। ତେବେ ଜଣେ ମଠ ମହନ୍ତ କିଛି ବ୍ୟକ୍ତିଙ୍କ ସହାୟତାରେ ଉକ୍ତ ମୂଲ୍ୟବାନ ଜମିକୁ ଅକ୍ତିଆର କରିବା ପାଇଁ ମସୁଧା ଚଳାଇଥିବା ଅଭିଯୋଗ ହେବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା ।
Powered by Froala Editor