ଛୋଟ ଅପରାଧୀଙ୍କ ପାଇଁ ଦେୟଦଣ୍ଡ ବ୍ୟବସ୍ଥା
ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ୨୮ତମ ବୈଠକ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଏଥିରେ ୧୦ଟି ବିଭାଗର ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ରାଜ୍ୟରେ କ୍ଷୁଦ୍ର ଓ ପ୍ରକ୍ରିୟାଗତ ଅପରାଧକୁ ଅପରାଧମୁକ୍ତ କରି ବିଶ୍ବାସଭିତ୍ତିକ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ପଦକ୍ଷେପ ନେଇଛନ୍ତି। ରାଜ୍ୟ କ୍ୟାବିନେଟ ଓଡ଼ିଶା ଜନବିଶ୍ବାସ ଅଧ୍ୟାଦେଶ, ୨୦୨୫କୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହା ଅଣ-ଗୁରୁତର ଅପରାଧଗୁଡ଼ିକୁ ଫୌଜଦାରୀ ଦଣ୍ଡରୁ ମୁକ୍ତକରି ଦେୟଦଣ୍ଡ ବ୍ୟବସ୍ଥା ପ୍ରଚଳନ କରିବ ଏବଂ ବ୍ୟବସାୟ ଓ ଜୀବନଧାରଣରେ ସହଜତା ଆଣିବ। ଏହି ଅଧ୍ୟାଦେଶ ରାଜ୍ୟରେ ନିୟାମକ ବୋଝ ହ୍ରାସ କରି ନିବେଶକଙ୍କ ବିଶ୍ବାସ ବଢ଼ାଇବା ସହ ଓଡ଼ିଶାକୁ ଏକ ନାଗରିକ-ଅନୁକୂଳ ଓ ଅଭିବୃଦ୍ଧିମୁଖୀ ରାଜ୍ୟ ଭାବେ ସ୍ଥାନିତ କରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
ଏହା ଅଣ-ଗୁରୁତର ନିୟାମକ ଓ ପ୍ରଶାସନିକ ଅପରାଧଗୁଡ଼ିକୁ ଫୌଜଦାରୀ ଦଣ୍ଡରୁ ମୁକ୍ତ କରି ଦେୟ ଦଣ୍ଡ ବ୍ୟବସ୍ଥା ପ୍ରଚଳନ କରିବା ସହ ଅନୁପାଳନ ବୋଝକୁ ହ୍ରାସ କରିବ। ରାଜ୍ୟ ସରକାର ଏହି ଅଧ୍ୟାଦେଶ ପାଇଁ ୧୬୫ଟି ରାଜ୍ୟ ଆଇନର ଏକ ପଦ୍ଧତିଗତ ସମୀକ୍ଷା କରିଥିଲେ, ଯେଉଁଥିରେ ୯ଟି ବିଭାଗ ସାମିଲ ଥିଲା। ଏହି ଅଧ୍ୟାଦେଶର ମୁଖ୍ୟ ବୈଶିଷ୍ଟ୍ୟ ମଧ୍ୟରେ ରହିଛି ଜୋରିମାନା ବ୍ୟବସ୍ଥାରେ ପରିବର୍ତ୍ତନ, ପ୍ରକ୍ରିୟାଗତ ତ୍ରୁଟି ପାଇଁ ଦଣ୍ଡର ସୀମା ହ୍ରାସ, ବୈଷୟିକ ଓ ନିୟାମକ ଉଲ୍ଲଙ୍ଘନ ପାଇଁ ଆନୁପାତିକ ଦଣ୍ଡ ଏବଂ ଅଣ-ଗୁରୁତର ମାମଲାରେ କାରାଦଣ୍ଡ ବିଲୋପ। ଏହାସହ ଅନୁସନ୍ଧାନ ଓ ଆପିଲ୍ ପ୍ରକ୍ରିୟାକୁ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଦ୍ୱାରା ସମ୍ପାଦନ କରାଯିବ। ଯାହା ବିବାଦ ସମାଧାନର ସମୟ ଓ ମୋକଦ୍ଦମା ଖର୍ଚ୍ଚକୁ ହ୍ରାସ କରିବ। ଏହି ଅଧ୍ୟାଦେଶ ୧୬ଟି ଗୁରୁତ୍ବପୂର୍ଣ୍ଣ ରାଜ୍ୟ ଆଇନକୁ ଅନ୍ତର୍ଭୁକ୍ତ କରୁଛି। ଓଡ଼ିଶା ପୌର ଆଇନ- ୧୯୫୦, ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ-୧୯୫୬, ଓଡ଼ିଶା ବିଦ୍ୟୁତ୍ (ଶୁଳ୍କ) ଆଇନ-୧୯୬୧, ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ଆଇନ-୧୯୮୨ ଏବଂ ଓଡ଼ିଶା ମୂଲ୍ୟଯୁକ୍ତ ଟିକସ ଆଇନ-୨୦୦୪ ଆଦି ରହିଛି। ଏହି ଆଇନଗୁଡ଼ିକରେ ଅଣ-ଗୁରୁତର ଉଲ୍ଲଙ୍ଘନକୁ ଦେୟ ଦଣ୍ଡ ଦ୍ୱାରା ସମାଧାନ କରାଯିବ।
Powered by Froala Editor