ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ହତ୍ୟା ମାମଲା: ହତ୍ୟାକାରୀଙ୍କ ସୁରାକ ପାଇପାରୁନି ପୁଲିସ
ବ୍ରହ୍ମପୁର: ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ମାମଲାକୁ ୪୮ ଘଣ୍ଟାରୁ ଅଧିକ ସମୟ ବିତି ସାରିଥିଲେ ମଧ୍ୟ ହତ୍ୟାକାରୀଙ୍କ ସୁରାକ ପାଇପାରୁନି ପୁଲିସ ା ତାଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହା ଜାଣିବାକୁ ପୁଲିସ ସମସ୍ତ କଳବଳ କୌଶଳ ଲଗାଇଛି ା ଏହା ଭିତରେ ୧୫ରୁ ୨୦ ଜଣ ସନ୍ଦିଗ୍ଧଙ୍କୁ ଥାନାକୁ ଆଣି ପୁଲିସ ପଚରାଉଚରା କରିବା ପରେ ଛାଡ଼ି ଦେଇଛି। ହେଲେ ଏହି ଅମାନୁଷିକ ହତ୍ୟା ପଛରେ କିଏ ସେ ସଂକ୍ରାନ୍ତରେ କୌଣସି ପ୍ରକାର ତଥ୍ୟ ଓ ପ୍ରମାଣ ପୁଲିସର ହସ୍ତଗତ ହୋଇପାରି ନାହିଁ।
ତେବେ ୪୮ ଘଣ୍ଟା ପରେ ବ୍ରହ୍ମପୁର ପୁଲିସ ଏହି ଘଟଣାରେ ମୁହଁ ଖୋଲିଛି। ପୀତବାସଙ୍କୁ ସୁପାରୀ କିଲରମାନେ ଏକ ଦେଶୀ ବନ୍ଧୁକରୁ ଅତି ନିକଟରୁ ଗୁଳି କରି ହତ୍ୟା କରିଥିବା ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡା. ସର୍ବଣା ବିବେକ ଏମ କହିଛନ୍ତି ା ବ୍ରହ୍ମପୁର ଟାଉନ ଉପଖଣ୍ଡ ଆରକ୍ଷୀ ଅଧିକାରୀ ପ୍ରିୟସରଞ୍ଜନ ଛୋଟରାୟଙ୍କ ନେତୃତ୍ବରେ ୬ ପୁଲିସ ଟିମ ଗଠନ ହୋଇଛି। ପୁଲିସ ଦଳ ସହରର ବିଭିନ୍ନ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ସଂଗ୍ରହ କରି ଏହାର ତଥ୍ୟ ବିଶ୍ଳେଷଣ କରୁଛନ୍ତି। ସେହିପରି ସାଇଣ୍ଟିଫିକ ଦଳର ତଥ୍ୟ ସହ ପୀତବାସଙ୍କ ହତ୍ୟାର ସମସ୍ତ ସମ୍ଭାବ୍ୟ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଜାରି ରହିଛି ା
ଘଟଣା ଦିନ ପୀତବାସ ଏସଏନଟି ରୋଡ଼ରେ ଥିବା ନିଜ କାର୍ଯ୍ୟାଳୟରୁ ବାହାରି ବଡ଼ବଜାର ଥାନାକୁ ଯାଇ ସେଠାରୁ ଘରକୁ ଫେରୁଥିଲେ ା ଘରକୁ ଫେରିବା ପୂର୍ବରୁ ସେ ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ଭୂପତି ହୋଟେଲକୁ ଯାଇ ଖାଦ୍ୟ ପାର୍ସଲ ଆଣିଥିଲେ। ସୁପାରୀ କିଲରମାନେ ତାଙ୍କୁ ସେଠାରୁ ଅନୁସରଣ କରିଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି । ପୀତବାସ ଏହି ହୋଟେଲରେ ଖାଦ୍ୟ କିଣୁଥିବା ବେଳେ କାଳେ ସୁପାରୀ କିଲରମାନେ ତାଙ୍କୁ ପିଛା କରି ସେହି ହୋଟେଲ ନିକଟରେ ରହିଥିଲେ କି ନାହିଁ ତାହା ଜାଣିବାକୁ ୨ ଦିନ ହେବ ପୁଲିସ ଦଳ ହୋଟେଲର ସିସିଟିଭି ଘାଣ୍ଟୁଛନ୍ତି ା ପୀତବାସଙ୍କୁ ହତ୍ୟା ପଛରେ ବିଭିନ୍ନ କାରଣ ବିଷୟରେ ଚର୍ଚ୍ଚା ଲାଗି ରହିଛି ା ପୀତବାସ ପେଷାରେ ଜଣେ ବରିଷ୍ଠ ଆଇନଜୀବୀ ଥିଲେ। ଅନେକ ଅଭିଯୁକ୍ତଙ୍କ ପାଇଁ ମାମଲା ଲଢୁଥିଲେ ା
Powered by Froala Editor