ଲଘୁଚାପ ଅବପାତରେ ପରିଣତ: ଅତି ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି
ଭୁବନେଶ୍ବର: ମହାନଦୀରେ ବନ୍ୟା ଜଳ ପ୍ରବାହ ବୃଦ୍ଧି ପାଇଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳ ଭଣ୍ଡାରରୁ ୨୦ଟି ଫାଟକ ଦେଇ ନିଷ୍କାସିତ ବନ୍ୟାଜଳ ମୁଣ୍ଡଳି ଛୁଇଁଛି। ରାତି ୯ଟାରେ ମୁଣ୍ଡଳିଠାରେ ପ୍ରତି ସେକେଣ୍ଡରେ ୫ଲକ୍ଷ ୭୮ହଜାର ୧୭୦ ଘନଫୁଟ ଜଳ ପ୍ରବାହିତ ହେଉଥିବା ରେକର୍ଡ଼ କରାଯାଇଛି। ତେବେ ତଳମୁଣ୍ଡରେ ବନ୍ୟା ସମ୍ଭାବନା ନାହିଁ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ପ୍ରକାଶ କରିଛନ୍ତି। ୯ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଲେ ଏଭଳି ସ୍ଥିତି ଆସିଥାଏ ବୋଲି ସେ ସ୍ପଷ୍ଟ କରିଛନ୍ତି। ଅନ୍ୟପଟେ ଅବପାତ ପ୍ରଭାବରେ ଦକ୍ଷିଣରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉତ୍ତର-ପଶ୍ଚିମ ଏବଂ ଏହାର ପାର୍ଶ୍ବବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର, ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଲଘୁଚାପ ଅବପାତରେ ପରିଣତ ହୋଇଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଅବପାତ ୨୭ତାରିଖ ବେଳକୁ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଅତିକ୍ରମ କରିବ। ଆସନ୍ତା ୨୪ଘଣ୍ଟା ମଧ୍ୟରେ ନବରଙ୍ଗପୁର ଜିଲାର କିଛି ଅଞ୍ଚଳରେ ଅତି ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି। କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି, ନୂଆପଡ଼ା, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଓଡ଼ିଶା ଉପକୂଳ-ଉତ୍ତର-କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୪୦ରୁ ୫୦କି.ମି. ଏବଂ ସ୍ଥଳବିଶେଷରେ ଘଣ୍ଟା ପ୍ରତି ଝଟକା ପବନ ୬୦କି.ମି. ବେଗରେ ବହିବାର ସମ୍ଭାବନା ରହିଛି। ସମୁଦ୍ର ଅଶାନ୍ତ ରହିବାରୁ ୨୮ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା କରାଯାଇଛି।
ବର୍ଷା ବିତ୍ପାତ ପାଇଁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଗଞ୍ଜାମ, କୋରାପୁଟ ଏବଂ ମାଲକାନଗିରି ଜିଲା ପ୍ରଶାସନ ବିଦ୍ୟାଳୟ ଛୁଟି ଘୋଷଣା କରିଛନ୍ତି। ସେହିପରି କଳାହାଣ୍ଡି ସମେତ ୪ ଜିଲାରେ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।
Powered by Froala Editor