ଅତି ପ୍ରବଳ ବର୍ଷା: ୧୨ ଟା ମଧ୍ୟରେ ମୁଣ୍ଡଳି ଛୁଇଁବ ୬ଲକ୍ଷ କ୍ୟୁସେକ୍ ବନ୍ୟାଜଳ
ଭୁବନେଶ୍ବର: ମହାନଦୀ ଉପରମୁଣ୍ଡରେ ଅତି ପ୍ରବଳ ବର୍ଷା ଦ୍ବାରା ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ୁଛି। ଜଳଭଣ୍ଡାରରୁ ୨୦ଟି ଫାଟକ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଫଳସ୍ବରୂପ ମହାନଦୀ ଏବଂ ଏହାର ଶାଖା ନଦୀଗୁଡ଼ିକ ବଢିବାରେ ଲାଗିଛି। ଆସନ୍ତାକାଲି ଶୁକ୍ରବାର ସକାଳ ୯ରୁ ମଧ୍ୟାହ୍ନ ୧୨ ମଧ୍ୟରେ ମୁଣ୍ଡଳିରେ ବନ୍ୟାଜଳ ୬ଲକ୍ଷ କ୍ୟୁସେକ୍ ଛୁଇଁବା ସମ୍ଭାବନା ରହିଛି। ଶନିବାର ମୁଣ୍ଡଳି ଦେଇ ୭ଲକ୍ଷ ଘନଫୁଟ ବନ୍ୟାଜଳ ପ୍ରତିସେକେଣ୍ଡରେ ପ୍ରବାହିତ ହେବ। ଏହା ତଳମୁଣ୍ଡରେ ବନ୍ୟା ସୃଷ୍ଟି କରିପାରେ ବୋଲି ଆଶଙ୍କା ରହିଛି। ମାତ୍ର ଜଳସମ୍ପଦ ବିଭାଗ ପକ୍ଷରୁ ବନ୍ୟା ଆଶଙ୍କାକୁ ଏଡ଼ାଇ ଦିଆଯାଇଛି। କାରଣ ଗତ ୨୪ ଘଣ୍ଟାରେ ହୀରାକୁଦ-ଖଇରମାଳ ଏବଂ ଖଇରମାଳ-ମୁଣ୍ଡଳି ମଧ୍ୟରେ ବିଶେଷ ବର୍ଷା ହୋଇନି। ତଳମୁଣ୍ଡରେ ଜଳପ୍ରବାହ କମ୍ ଥିବାରୁ ବନ୍ୟା ସ୍ଥିତି ଉପୁଜିବ ନାହିଁ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି। ଅନ୍ୟପଟେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇ ୨୬ତାରିଖ ସୁଦ୍ଧା ଅବପାତ ରୂପ ନେବ। ଏହାର ପ୍ରଭାବରେ ଦକ୍ଷିଣ ଉପକୂଳବର୍ତ୍ତୀ ଜିଲା ଗୁଡ଼ିକରେ ପ୍ରବଳ ବର୍ଷା ହୋଇପାରେ। କୋରାପୁଟ ଏବଂ ମାଲକାନଗିରି ଜିଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ସମ୍ଭାବ୍ୟ ସ୍ଥିତି ମୁକାବିଲା ପାଇଁ ଗୁରୁବାର ସ୍ବତନ୍ତ୍ର ରିଲିଫ ଆୟୁକ୍ତ ଦକ୍ଷିଣ ଓ ଉପକୂଳବର୍ତ୍ତୀ ଓଡ଼ିଶାର ୧୮ ଜିଲାର ଜିଲାପାଳଙ୍କ ସହ ଆଭାସି ମାଧ୍ୟମରେ ପ୍ରସ୍ତୁତି ବୈଠକ କରିଛନ୍ତି। ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ସହ ସ୍ଥିତି ଉପରେ ନଜର ରଖିବାକୁ ଜିଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି।
ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ଗୁରୁବାର ରାତି ୯ଟା ସୁଦ୍ଧା ଜଳସ୍ତର ୬୨୮.୮୩ ଫୁଟ ରହିଛି। ତେବେ ଗତ ୨୪ ଘଣ୍ଟାରେ ମହାନଦୀ ଉପର ମୁଣ୍ଡରେ ୫୪.୮୧ ମିମି ବର୍ଷା ହୋଇଥିବାରୁ ଜଳଭଣ୍ଡାରକୁ ଜଳପ୍ରବାହ ବଢିବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ତଳମୁଣ୍ଡରେ ୭.୦୪ ମିମିରେ ବର୍ଷା ରେକର୍ଡ କରାଯାଇଛି। ଏଥିପାଇଁ ଗତକାଲି ହୀରାକୁଦର ୧୬ଟି ଫାଟକ ଖୋଲିଥିବା ବେଳେ ଆଜି ଆଉ ୪ଟି ଫାଟକ ଖୋଲିଛି। ଉପରମୁଣ୍ଡରୁ ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ଲକ୍ଷ ୯୭ହଜାର ୯୦୩ ଘଟଫୁଟ ଜଳ ପ୍ରବେଶ କରୁଥିବାବେଳେ ୨୦ଟି ଫାଟକ, ପାୱାର ଚ୍ୟାେନଲ ଏବଂ କେନାଲ ଦେଇ ପ୍ରତି ସେକେଣ୍ଡରେ ୩ଲକ୍ଷ ୬୧ ହଜାର ୪୩୨ ଘଟଫୁଟ ଜଳ ନିଷ୍କାସିତ ହେଉଛି। ଖଇରମାଳରେ ପ୍ରତି ସେକେଣ୍ଡରେ ୪.୯୦ ଲକ୍ଷ ଘଟଫୁଟ ଜଳ ପ୍ରବାହିତ ହେଉଥିବାବେଳେ ବରମୂଳ ୪.୮୪ ଘଟଫୁଟ ଏବଂ ମୁଣ୍ଡଳିରେ ୨ ଲକ୍ଷ ୭୪ ହଜାର ୪୦୦ ଘଟଫୁଟ ଜଳ ପ୍ରତି ସେକେଣ୍ଡରେ ପ୍ରବାହିତ ହେଉଛି। ତଳମୁଣ୍ଡରେ ସତର୍କ ରହିବା ପାଇଁ ଜିଲା ପ୍ରଶାସନକୁ ସଜାଗ କରାଯାଇଛି।
Powered by Froala Editor