ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଲା ‘ପୁଷ୍କରା’
୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବରେ ବାଜି ମାରିଛି ଏକାଧିକ ଓଡ଼ିଆ ଫିଲ୍ମ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କାର ପାଇଁ ବଛାଯାଇଥିବା ବିଜେତାମାନଙ୍କୁ ସମ୍ମାନିତ କରିଛନ୍ତି। ଏହି ପୁରସ୍କାରଗୁଡ଼ିକ ୨୦୨୩ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରକୁ ନେଇ ପ୍ରଦାନ କରାଯାଇଛି। ବାଜିମାତ୍ କରିଥିବା ଓଡ଼ିଆ ସିନେମା ‘ପୁଷ୍କରା’ର ନିର୍ଦ୍ଦେଶକ ଶୁଭ୍ରାଂଶୁ ଦାଶ ବିଜ୍ଞାନ ଭବନରେ ଉପସ୍ଥିତ ରହି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରିଥିବା ଜଣାପଡ଼ିଛି।
ତରଙ୍ଗ ସିନେ ପ୍ରଡକ୍ସନ୍ସ ବ୍ୟାନର୍ରେ ପ୍ରସ୍ତୁତ ‘ପୁଷ୍କରା’ର ନିର୍ଦ୍ଦେଶନା ଶୁଭ୍ରାଂଶୁ ଦାଶ ଦେଇଥିଲେ ଓ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ଅଭିନେତା ସବ୍ୟସାଚୀ ମିଶ୍ର। ଚଳଚ୍ଚିତ୍ରର କାହାଣୀ ଲେଖକ ଶଙ୍କର ତ୍ରିପାଠୀଙ୍କ ଦ୍ୱାରା ୨୦୦୪ ମସିହାରେ ରଚିତ ଉପନ୍ୟାସ ‘ନାଦବିନ୍ଦୁ’ ଉପରେ ଆଧାରିତ ‘ପୁଷ୍କରା’। ଏଥିରେ ‘ପୁଷ୍କରା’ ପରମ୍ପରାକୁ ବଡ଼ ପରଦାରେ ପ୍ରଦର୍ଶିତ କରାଯାଇଥିଲା।
ପୁରୀର ଜାଗାଘର, ସାହିଯାତ ଓ ଡଙ୍ଗାଭସା ଭଳି ମୌଳିକ ପରମ୍ପରାକୁ ପରଦାରେ ନିଖୁଣ ଶୈଳୀରେ ଉପସ୍ଥାପିତ କରାଯାଇଥିଲା। ଉପନ୍ୟାସ ‘ନାଦବିନ୍ଦୁ’ ଆଧାରରେ ନିର୍ମିତ ଏହି ଚଳଚ୍ଚିତ୍ର ପୁଣିଥରେ ଓଡ଼ିଆ ସିନେମା ଓ ସାହିତ୍ୟରେ ହଜିଯାଇଥିବା ସମ୍ପର୍କକୁ ଫେରାଇ ଆଣିବାରେ ସକ୍ଷମ ହୋଇଥିଲା।
‘ପୁଷ୍କରା’ ବ୍ୟତୀତ ‘ଦ ସି ଆଣ୍ଡ ସେଭେନ ଭିଲେଜେସ’ ଓ ‘ମୋ ବୋଉ, ମୋ ଗାଁ’କୁ ଜାତୀୟ ପୁରସ୍କାର ମିଳିଛି। ଏହାବ୍ୟତୀତ ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ।
ଉତ୍ସବରେ ‘ପୁଷ୍କରାକୁ ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ପୁରସ୍କୃତ କରାଯାଇଥିବାବେଳେ ‘ଦ ସି ଆଣ୍ଡ ସେଭେନ ଭିଲେଜେସ’କୁ ନନ୍ ଫିଚର ଫିଲ୍ମ ଏବଂ ‘ମୋ ବୋଉ, ମୋ ଗାଁ’କୁ (ନନ୍ ଫିଚର ଫିଲ୍ମ, ଶ୍ରେଷ୍ଠ ବାୟୋଗ୍ରାଫିକାଲ/ହିଷ୍ଟୋରିକାଲ ରିକନଷ୍ଟ୍ରକ୍ସନ/କମ୍ପ୍ଲିକେସନ ଫିଲ୍ମ) ବି ପୁରସ୍କୃତ କରାଯାଇଛି। ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ବିଚାରକ ସଦସ୍ୟା ଭାବେ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ସେ ଏହି ପୁରସ୍କାର ପାଇବାରେ ରାଜ୍ୟର ପ୍ରଥମ ମହିଳା ଅଭିନେତ୍ରୀ।
Powered by Froala Editor