ଚୌଦ୍ଵାର ହାଜତ ମୃତ୍ୟୁ ଘଟଣା: ଥାନାଧିକାରୀଙ୍କ ସହ ଦୁଇ ନିଲମ୍ବିତ
କଟକ: ଚୌଦ୍ୱାର ଥାନାରେ ଅଭିଯୁକ୍ତ ଯୁବକଙ୍କ ହାଜତ ମୃତ୍ୟୁ ଘଟଣାକୁ ନେଇ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଏସିପି ତଥା ଥାନାଧିକାରୀ ଦାୟିତ୍ୱରେ ଥିବା ବିଶ୍ୱରଞ୍ଜନ ସାହୁଙ୍କୁ ନିଲମ୍ବନ କରାଯାଇଛି । ଅନ୍ୟ ୨ ଜଣ ମଧ୍ୟ ନିଲମ୍ବିତ ହୋଇଛନ୍ତି । ଚୌଦ୍ବାର ଥାନା ସବ୍ ଇନ୍ସପେକ୍ଟର ନିରଞ୍ଜନ ଗୋଡା ଏବଂ କନେଷ୍ଟବଳ କମଳ ଲୋଚନ ମାଝୀଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି ।
ରସାନନ୍ଦର ପରିବାର ଲୋକେ ପୁଲିସକୁ ଦୋଷାରୋପ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି, ପୁଲିସ ବେଆଇନ ଭାବେ ରସାନନ୍ଦ ଓ ଅନ୍ୟ ଜଣେ ଯୁବକକୁ ଥାନାରେ ଅଟକ ରଖି ମାଡ଼ ମାରିବା ସହ ନିର୍ଯାତନା ଦେଇଛି। ଫଳରେ ରସାନନ୍ଦର ମୃତ୍ୟୁ ଘଟିଥିବା ଅଭିଯୋଗ ଆଣିଛନ୍ତି। ଏ ସଂକ୍ରାନ୍ତରେ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ରସାନନ୍ଦର ମୃତ୍ୟୁ ପରେ ଚୌଦ୍ବାର ଥାନାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଥିଲା। ଥାନାକୁ ପ୍ରବେଶ ଉପରେ ବାରଣ କରାଯାଇଥିଲା। କମିସନରେଟ୍ ପୁଲିସର ବରିଷ୍ଠ ଅଧିକାରୀମାନେ ଘଣ୍ଟାଘଣ୍ଟା ଧରି ଥାନା କର୍ମଚାରୀଙ୍କ ସହ ବୈଠକ କରିଥିଲେ।
Powered by Froala Editor