ବଜ୍ରାଘାତରେ ଦୁଇ ଜଣଙ୍କ ମୃତ୍ୟୁ
ରବିବାର ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ଗୋପବନ୍ଧୁନଗର ବ୍ଲକ ପୁରୁଣା ବାରିପଦା ଚତୁରୀ ଗ୍ରାମର ସୁନାରାମ ସିଂଙ୍କ ପୁଅ ପ୍ରତାପ ଚନ୍ଦ୍ର ସିଂ (୩୫) । କୁଳିଅଣା ଥାନା ଅନ୍ତର୍ଗତ ଭଗବାନପୁର ପଞ୍ଚାୟତ ବଡ଼ନୂଆଗାଁ ଗ୍ରାମର ବିଦ୍ୟାଧର ନାଏକ(୪୦) ।
ପ୍ରତାପ ରବିବାରରେ ଗୁହାଳ ଘରକୁ ଯାଇଥିବା ବେଳେ ତାଙ୍କୁ ବଜ୍ରାଘାତ ହୋଇଥିଲା । ଲୋକମାନେ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସରେ ନେବାକୁ ଯୋଗାଯୋଗ କରିଥିଲେ । ମାତ୍ର ଆମ୍ବୁଲାନ୍ସ ସେବା ମିଳି ନ ଥିଲା । ତେଣୁ ତାଙ୍କୁ ଏକ ଘରୋଇ ଗାଡ଼ିରେ ବଡ଼ସାହି ମେଡିକାଲ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସେହିପରି କୁଳିଅଣା ଥାନା ବଡ଼ ନୂଆଗାଁ ଗ୍ରାମର ବିଦ୍ୟାଧର ଜାଳେଣି କାଠ ପାଇଁ ବୁଢାବଳଙ୍ଗ ନଦୀ କୂଳକୁ ଯାଇଥିଲେ । ଘଟଣାସ୍ଥଳେ ବଜ୍ରାଘାତରେ ଅଚେତ୍ ଅବସ୍ଥାରେ ପଡିରହିଥିଲେ । ସ୍ଥାନୀୟ ଲୋକେ ୧୦୮ ଯୋଗେ କୁଳିଅଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁଇ ପରିବାରର ରୋଜଗାରିଆ ବ୍ୟକ୍ତିଙ୍କୁ ହରାଇ ଭାଙ୍ଗି ପଡିଛନ୍ତି । ତେଣୁ ସେମାନଙ୍କୁ ତୁରନ୍ତ କ୍ଷତିପୂରଣ ମିଳୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।
Powered by Froala Editor