ହାତୀ ଆକ୍ରମଣରେ ମହିଳା ମୃତ
ମୟୂରଭଞ୍ଜ ଜିଲ୍ଲାରେ ହାତୀ ଆକ୍ରମଣ ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ବାରିପଦା ଚିପଟ ଅସ୍ତିଆ ଅଞ୍ଚଳର ପବନା ନାୟକଙ୍କ ସ୍ତ୍ରୀ ରୀନା ନାୟକ (୪୫) । ହାତୀ ଆକ୍ରମଣରେ ରୀନାଙ୍କ ହାତ, ଛାତି ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାବେଳେ ମୋରଡା ପୁଲିସ ଓ ସ୍ଥାନୀୟ ଲୋକେ କିଶାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ରୀନାଙ୍କ ମୃତ୍ୟୁ ଘଟିଛି ।
ଏକ ଅଟୋ ୮ ଜଣ ଯାତ୍ରୀଙ୍କୁ ନେଇ ଅମର୍ଦାରୁ ଅଞ୍ଚଳରୁ ବାରିପଦା ଫେରୁଥିବା ସମୟରେ ବାରମାଇଲ-ଚିତ୍ରଡା ରାସ୍ତାର ଅସ୍ତିଆବନ୍ଧ ନିକଟରେ ହଠାତ୍ ହାତୀପଲ ରାସ୍ତା ଉପରକୁ ଆସିଯିବାରୁ ଅଟୋ ଚାଳକ ପଛକୁ ଗାଡି ଫେରାଇ ନେଉଥିଲେ । କିନ୍ତୁ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଅଟୋରେ ଥିବା ୮ଜଣଙ୍କ ମଧ୍ୟରେ ୭ଜଣ ଦୌଡ଼ି ପଳାଇ ଥିବାବେଳେ ରୀନା ନାୟକ ହାତୀ ହାବୁଡ଼ରେ ପଡି ଯାଇଥିଲେ । ହାତୀ ଆକ୍ରମଣରେ ରୀନା ଗୁରୁତର ହୋଇପଡିଥିବାବେଳେ ତାଙ୍କୁ କିଶାନତାଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ର ପରେ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସେ ପ୍ରାଣ ହରାଇଥିଲେ । ଅଟୋରେ ଥିବା ଅନ୍ୟମାନଙ୍କ ମଧ୍ୟରୁ ୪ଜଣ ଜୀବନ ବଞ୍ଚାଇ ଜଙ୍ଗଲ ଭିତର ଦେଇ ଦାନ୍ତିଆମୁହାଁ ନିକଟରେ ବାହାରି ସୁରକ୍ଷିତ ଅବସ୍ଥାରେ ବାରିପଦା ପହଞ୍ଚିଥିଲେ । ବାକି ୩ଜଣ ଆହତ ହୋଇଥିଲେ ।
Powered by Froala Editor