‘ସେମିକନ୍ ଇଣ୍ଡିଆ ୨୦୨୫’ର ଉଦ୍ଘାଟିତ : ‘ବିକ୍ରମ’ ଆଣିବ ନୂଆ ବିପ୍ଳବ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ‘ସେମିକନ୍ ଇଣ୍ଡିଆ ୨୦୨୫’ର ଉଦଘାଟନ କରିଛନ୍ତି। ଦେଶରେ ପ୍ରସ୍ତୁତ ହୋଇଥିବା ପ୍ରଥମ ସେମିକଣ୍ଡକ୍ଟର ଚିପ୍କୁ ଲଞ୍ଚ କରାଯାଇଛି। ଏହା ଭାରତରେ ନିର୍ମିତ ପ୍ରଥମ ସ୍ୱଦେଶୀ ଚିପ୍। ଏହି ଚିପ୍ର ନାମ ବିକ୍ରମ। ଏହି ଚିପ୍ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଲଞ୍ଚ କରାଯାଇଥିଲା।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ତେଲକୁ କଳା ସୁନା କୁହାଯାଏ, ସେହିପରି ସେମିକଣ୍ଡକ୍ଟର ଚିପ୍ସ ହେଉଛି ଡିଜିଟାଲ୍ ହୀରା। ୨୧ ଶତାବ୍ଦୀର ପ୍ରଗତି ଏହି ଚିପ୍ସ ଉପରେ ଆଧାରିତ। ଆଗାମୀ ସମୟରେ ଏକ ଛୋଟ ଚିପ୍ ବହୁତ ପ୍ରଗତି ଏବଂ ନବସୃଜନ ଆଣିବ।
ସୂଚନାଯୋଗ୍ୟ. ଅଗଷ୍ଟ ୨୮ ତାରିଖରେ, ବୈଷ୍ଣବ ସାନନ୍ଦରେ ସିଜି ସେମିର ପାଇଲଟ୍ ଲାଇନର ଉଦଘାଟନ କରିଥିଲେ। ସେଠାରେ ଏହି ଚିପ୍ ତିଆରି କରାଯାଇଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଦେଶରେ ପାଞ୍ଚଟି ସେମିକଣ୍ଡକ୍ଟର ୟୁନିଟ୍ ନିର୍ମାଣ ଚାଲିଛି, ଯେଉଁଥିରୁ ଗୋଟିଏର ପାଇଲଟ୍ ଲାଇନ ସମ୍ପୂର୍ଣ୍ଣ ହୋଇଛି ଏବଂ ଅନ୍ୟ ଦୁଇଟି ଖୁବ୍ ଶୀଘ୍ର ଉତ୍ପାଦନ ଆରମ୍ଭ କରିବ। ଏହା ଭାରତର ସେମିକଣ୍ଡକ୍ଟର ଆତ୍ମନିର୍ଭରଶୀଳତା ଦିଗରେ ଏକ ବଡ଼ ପଦକ୍ଷେପ।
ଶ୍ରୀ ବୈଷ୍ଣବ କହିଛନ୍ତି, କିଛି ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଚିନ୍ତାଧାରା ସହ ‘ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ’ ଆରମ୍ଭ ହୋଇଥିଲା । ମାତ୍ର ସାଢେ ୩ ବର୍ଷ ମଧ୍ୟରେ ଭାରତ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି ।
ସେମିକନ୍ ଇଣ୍ଡିଆ ୨୦୨୫ ସମ୍ମିଳନୀ ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ଚାଲିବ। ଏହି ସମ୍ମିଳନୀରେ ୪୮ ରୁ ଅଧିକ ଦେଶରୁ ପ୍ରାୟ ୨,୫୦୦ ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି।
Powered by Froala Editor