ରକ୍ତ ସଙ୍କଟ ଦୂର କରିବ ନାଟ୍ ପଦ୍ଧତି

ଭୁବନେଶ୍ବର: ରାଜ୍ୟର ସମସ୍ତ ରକ୍ତଭଣ୍ଡାରରେ ନାଟ୍ ପଦ୍ଧତି ଲାଗୁ କରାଯିବ। ଏହା ଦ୍ବାରା ଗୋଟିଏ ରକ୍ତରୁ ପ୍ଲାଜମା, ପ୍ଲେଟଲେଟ ପୃଥକ କରାଯାଇ ଆବଶ୍ୟକ ଅନୁସାରେ ରୋଗୀଙ୍କୁ ଯୋଗାଇ ଦିଆଯିବ। ଫଳରେ ରକ୍ତ ସଙ୍କଟ ଦୂର କରିବା କ୍ଷେତ୍ରରେ ଏହା ସହାୟକ ହୋଇ ପାରିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି। ପୂର୍ବରୁ କେବଳ ରାଜ୍ୟର ୧୧ କେନ୍ଦ୍ରରେ ନାଟ୍ ପଦ୍ଧତିରେ ରକ୍ତ ପରୀକ୍ଷା କରାଯାଉଥିଲା। ସେହିପରି ପୂର୍ବରୁ ୧୫ ରକ୍ତଭଣ୍ଡାରରେ ବର୍ଗୀକରଣ କରାଯାଉଥିବାବେଳେ ଏବେ ଆଉ ୧୦ଟି ରକ୍ତଭଣ୍ଡାରରେ ରକ୍ତ ବର୍ଗୀକରଣ କେନ୍ଦ୍ର ଖୋଲିବ।
କ୍ୟାପିଟାଲ ହସ୍ପିଟାଲ, ବିଏମ୍ସି, କଟକ କେନ୍ଦ୍ରୀୟ ରକ୍ତଭଣ୍ଡାର ସହିତ ଏସ୍ସିବି, ବ୍ରହ୍ମପୁର, ବାଲେଶ୍ବର, ବାରିପଦା, ବଲାଙ୍ଗୀର, କୋରାପୁଟ, ଜୟପୁର ଏବଂ ବୁର୍ଲାର ରକ୍ତଭଣ୍ଡାରରେ ନାଟ୍ ପଦ୍ଧତିରେ ପରୀକ୍ଷଣ କରାଯାଉଛି। ପିପିପି ଭିତ୍ତିରେ ସବୁ ରକ୍ତଭଣ୍ଡାରରେ ନାଟ୍ ପଦ୍ଧତି ଲାଗୁ କରାଯିବାକୁ ଯୋଜନା ହୋଇଛି। ଏଥିପାଇଁ ଓଏସ୍ଏମ୍ସିଏଲ ପକ୍ଷରୁ ଟେଣ୍ଡର କରାଯାଇଛି। ଭୁବନେଶ୍ବର, କଟକ, ବ୍ରହ୍ମପୁର, ବାଲେଶ୍ବର, ବୁର୍ଲା, ବଲାଙ୍ଗୀର, ବାରିପଦା, ବରଗଡ଼, ରାଉରକେଲା, ଏମ୍ସ ଆଦି ରକ୍ତଭଣ୍ଡାରରେ ପୃଥକୀକରଣ କେନ୍ଦ୍ର କାର୍ଯ୍ୟ କରୁଛି। ଏବେ ଆଉ ୧୦ ରକ୍ତଭଣ୍ଡାରରେ ରକ୍ତ ବର୍ଗୀକରଣ କେନ୍ଦ୍ର କରାଯିବାକୁ ଯୋଜନା ରହିଛି। ଗୋଟିଏ ରକ୍ତ ଜଣକୁ ଦିଆନଯାଇ ପୃଥକୀକରଣ ପରେ ଭିନ୍ନ ଭିନ୍ନ ରୋଗୀଙ୍କୁ ଦିଆଯାଇପାରିବ।
Powered by Froala Editor