ଜମି ବିକ୍ରି ଦଲିଲ୍ ପଞ୍ଜୀକରଣକୁ ସବ୍-ରେଜିଷ୍ଟ୍ରାର ମୌଖିକ ଭାବେ ପ୍ରତ୍ୟାଖ୍ୟାନ କରିପାରିବେ ନାହିଁ: ହାଇକୋର୍ଟ

କଟକ : ଜମି ବିକ୍ରି ଦଲିଲ୍ ପଞ୍ଜୀକରଣକୁ ସବ୍-ରେଜିଷ୍ଟ୍ରାର ମୌଖିକ ଭାବେ ପ୍ରତ୍ୟାଖ୍ୟାନ କରିପାରିବେ ନାହିଁ। ପଞ୍ଜୀକରଣ ଆଇନ ୧୯୦୮ ଏବଂ ଓଡ଼ିଶା ପଞ୍ଜୀକରଣ ନିୟମ ୧୯୮୮ ଅନୁଯାୟୀ ଯେତେବେଳେ ପଞ୍ଜୀକରଣ ପାଇଁ କୌଣସି ଦଲିଲ ଉପସ୍ଥାପିତ ହୁଏ, ସେତେବେଳେ ଦଲିଲ୍ ଗ୍ରହଣ କରିବା ସବ୍-ରେଜିଷ୍ଟ୍ରାରଙ୍କ କର୍ତ୍ତବ୍ୟ। ଯଦି ଉକ୍ତ ଦଲିଲଟି ଆଇନ ଅନୁସାରେ ଠିକ ନାହିଁ, ତେବେ ସବ୍-ରେଜିଷ୍ଟ୍ରାର ଲିଖିତ କାରଣ ଦର୍ଶାଇ ସେହି ପଞ୍ଜୀକରଣ ଦଲିଲକୁ ଗ୍ରହଣ କରିବାକୁ ମନା କରିପାରନ୍ତି; ହେଲେ ମୌଖିକ ଭାବେ ଦଲିଲକୁ ପ୍ରତ୍ୟାଖ୍ୟାନ କରାଯାଇପାରିବ ନାହିଁ ବୋଲି ଓଡ଼ିଶା ହାଇକୋର୍ଟ କହିଛନ୍ତି। ଭଦ୍ରକ ବାସୁଦେବପୁର ସବ୍-ରେଜିଷ୍ଟ୍ରାର ସହମାଲିକ (କୋ-ସେୟାର)ଙ୍କ ସମ୍ମତି ନ ଥିବାରୁ ଏକ ଜମି ବିକ୍ରି କବଲା ପଞ୍ଜୀକରଣ କରିବାକୁ ମୌଖିକ ଭାବେ ମନା କରିଦେଇଥିଲେ। ଏ ସଂକ୍ରାନ୍ତରେ ରୁଜୁ ଏକ ମାମଲାର ଶୁଣାଣି କରି ବିଚାରପତି ଆନନ୍ଦ ଚନ୍ଦ୍ର ବେହେରା ରାୟ ପ୍ରକାଶ କରି ଆବେଦନକାରୀଙ୍କ ବିକ୍ରି କବଲା ଗ୍ରହଣ କରିବାକୁ ସବ୍-ରେଜିଷ୍ଟ୍ରାରଙ୍କୁ ନିର୍ଦେଶ ଦେଇଛନ୍ତି। ପଞ୍ଜୀକରଣ ସମ୍ପୂର୍ଣ୍ଣ ହେବା ପରେ ୩ ଦିନ ମଧ୍ୟରେ ଉକ୍ତ ଦଲିଲକୁ ଆବେଦନକାରୀଙ୍କୁ ଫେରାଇବାକୁ ଅଦାଲତ କହିଛନ୍ତି।
Powered by Froala Editor