ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକୁ ପୂରିଲା ୧୧ବର୍ଷ, ୫୬% ଜନଧନ ଖାତା ମହିଳାଙ୍କ ନାମରେ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ ୫୬.୧୬ କୋଟିରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି, ଯାହାର ମୋଟ ଜମାରାଶି ୨୦୨୫, ଅଗଷ୍ଟ ମଧ୍ୟଭାଗ ସୁଦ୍ଧା ୨.୬୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ୫୬% ଜନଧନ ଖାତା ମହିଳାଙ୍କ ନାମରେ ରହିଛି, ଯାହା ଆର୍ଥିକ ଅନ୍ତର୍ଭୁକୀକରଣରେ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିବାରେ ଯୋଜନାର ଭୂମିକାକୁ ଉଲ୍ଲେଖ କରିଛି। ଏହି ଯୋଜନାକୁ ଏବେ ୧୧ବର୍ଷ ପୂରଣ ହୋଇଛି।
ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ କମ୍ କାଗଜପତ୍ର, ଶୂନ୍ୟ ଜମାରାଶି ଏବଂ ସହଜ କେୱାଇସି ସହିତ ବ୍ୟାଙ୍କ ଖାତା ଖୋଲାଯାଉଛି। ଜନଧନ ଖାତା ଖୋଲିବା ପାଇଁ ଏବେ ସୁଦ୍ଧା ୯୯,୭୫୩ଟି ଶିବିର ଆୟୋଜନ କରାଯାଇଛି। ଟଙ୍କା ଉଠାଣ ପାଇଁ ଡେବିଟ୍ କାର୍ଡ ସହିତ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଦୁର୍ଘଟଣା ବୀମା, କ୍ଷୁଦ୍ର ଋଣ, ଓଭରଡ୍ରାଫ୍ଟ ପେନସନ ସୁବିଧା ମିଳିପାରୁଛି। ଔପଚାରିକ ଆଇନଗତ ଦସ୍ତାବିଜ୍ ନଥିବା ବ୍ୟକ୍ତି ବିଶେଷ ୧୨ ମାସର ଅବଧି ଥିବା ଛୋଟ ଖାତା ବ୍ୟାଙ୍କ ଆକାଉଣ୍ଟ ଖୋଲିବାର ସୁବିଧା ଏହି ଯୋଜନାରେ ରହିଛି, ଯାହାକୁ ପରବର୍ତ୍ତୀ ୧୨ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ବ୍ୟାଙ୍କ ଦ୍ବାରା ନିଯୁକ୍ତ ଖୁଚୁରା ଏଜେଣ୍ଟ ବା ବ୍ୟାଙ୍କ ମିତ୍ରମାନେ ହିତାଧିକାରୀଙ୍କୁ ସବୁପ୍ରକାର ବ୍ୟାଙ୍କ ସେବା ଯୋଗାଇ ଦେଉଛନ୍ତି। ପିଏମ୍ଜେଡିୱାଇ ହିତାଧିକାରୀମାନେ ଡିବିଟି, ପିଏମ୍ ଜୀବନଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଟଳ ପେନସନ ଯୋଜନା, ମୁଦ୍ରା ଯୋଜନା ପାଇଁ ଯୋଗ୍ୟତା ହାସଲ କରିପାରୁଛନ୍ତି। ଜନଧନ ବ୍ୟାଙ୍କ ଖାତାରେ ୩୨୭ଟି ସରକାରୀ ଯୋଜନାରେ ସିଧାସଳଖ ସହାୟତା ହସ୍ତାନ୍ତର (ଡିବିଟି) ସୁବିଧା ମିଳିପାରୁଛି, ଫଳରେ ବାଟମାରଣା ଏବଂ ଦଲାଲଙ୍କ ହସ୍ତକ୍ଷେପ ଦୂର ହୋଇପାରୁଛି। ୨୦୧୫ରେ ୧୪.୭୨ କୋଟି ଜନଧନ ଖାତା ଖୋଲାଯାଇ ଥିବାବେଳେ ୨୦୨୫, ଅଗଷ୍ଟରେ ଖାତା ସଂଖ୍ୟା ୫୬.୧୬କୋଟିରେ ପହଞ୍ଚିଛି। ୬୭% ଖାତା ଗ୍ରାମୀଣ/ଅର୍ଦ୍ଧ ସହରାଞ୍ଚଳରେ ଖୋଲାଯାଇଥିବା ୩୩% ଜନଧନ ଖାତା ସହରାଞ୍ଚଳ/ମେଟ୍ରୋ ସହରରେ ଖୋଲାଯାଇଛି।
Powered by Froala Editor