ଧୀରେଧୀରେ ବଢ଼ିବାରେ ଲାଗିଛି ବ୍ରାହ୍ମଣୀ ଜଳପତ୍ତନ

ଭୁବନେଶ୍ବର : ବୈତରଣୀ ଏବଂ ସୁବର୍ଣ୍ଣରେଖାରେ ଦୁଇଦିନ ଧରି ବନ୍ୟା ସ୍ଥିତି ଲାଗି ରହିଥିବା ବେଳେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ସ୍ଥିତିରେ ସୁଧାର ଆସିଛି। ଆଜି ସନ୍ଧ୍ୟା ବେଳକୁ ପରିସ୍ଥିତିରେ ଆହୁରି ସୁଧାର ଆସିବ। ଉଭୟ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ରହିଛି। ତଳିଆ ଅଞ୍ଚଳ ଗାଁଗୁଡ଼ିକରୁ ବନ୍ୟାପାଣି କମୁଛି। କିନ୍ତୁ ବ୍ରାହ୍ମଣୀ ଧୀରେଧୀରେ ବଢ଼ିବାରେ ଲାଗିଛି। ଗତକାଲି ଅପେକ୍ଷା ଆଜି ବିଭିନ୍ନ ସ୍ଥାନରେ ବ୍ରାହ୍ମଣୀ ଜଳପତ୍ତନ ବଢ଼ୁଥିବାରୁ ଜଳସମ୍ପଦ ବିଭାଗ ବ୍ରାହ୍ମଣୀ ଉପରେ ନଜର ରଖିଛି। ବାଲେଶ୍ବର ଓ ଭଦ୍ରକରେ ବନ୍ୟା ସ୍ଥିତି ସ୍ବାଭାବିକ ହେଉଥିବାବେଳେ ଯାଜପୁର ଜିଲାର ଦଶରଥପୁର ବ୍ଲକରେ ପାଣି ଛାଡ଼ିବାକୁ ଆଉ କିଛି ସମୟ ଲାଗିବ। ବାଲେଶ୍ୱରରେ ବନ୍ୟା ଯୋଗୁଁ ବସ୍ତା, ଭୋଗରାଇ, ବାଲିଆପାଳ ଏବଂ ଜଳେଶ୍ୱର ପ୍ରଭାବିତ ହୋଇଛି। ଯାଜପୁର ଜିଲାର ଦଶରଥପୁର ବ୍ଲକ ଓ ଭଦ୍ରକ ଜିଲାର ଭଣ୍ଡାରିପୋଖରୀ, ତିହିଡ଼ି, ଧାମନଗର ବ୍ଲକ ପ୍ରଭାବିତ ହୋଇଛି। ତେବେ କାଣୀ ନଦୀ ଘାଇ ଯୋଗୁଁ ଯାଜପୁର ସର୍ବାଧିକ ପ୍ରଭାବିତ ହୋଇଛି ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି। କେବଳ ଯାଜପୁର ଜିଲାକୁ ଛାଡ଼ି ଦେଲେ ବାକି ସବୁ ସ୍ଥାନରେ ବନ୍ୟା ସ୍ଥିତି ସୁଧୁରୁଛି। ରାଜଘାଟରେ ସୁବର୍ଣ୍ଣରେଖା ଖସୁଛି। ଏଠାରେ ବିପଦ ସଙ୍କେତ ୧୦.୩୬ମିଟର ଥିବାବେଳେ ମଙ୍ଗଳବାର ସନ୍ଧ୍ୟା ୬ଟା ସୁଦ୍ଧା ୧୦.୩୩ ମିଟରରେ ବନ୍ୟାପାଣି ପ୍ରବାହିତ ହେଉଛି। ଜାମଶୋଳା ଘାଟରେ ବିପଦ ସଙ୍କେତ ୪୯.୧୬ମିଟର ଥିବାବେଳେ ୪୮.୭୦ମିଟରରେ ବନ୍ୟାଜଳ ତଳମୁଣ୍ଡକୁ ନିଷ୍କାସିତ ହେଉଛି। ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତିରେ ସୁଧାର ଆସିଛି। ବୈତରଣୀରେ ବନ୍ୟାପାଣି ଖସିବାରେ ଲାଗିଛି। ଆଖୁଆପଦାରେ ବୈତରଣୀ ବିପଦ ସଙ୍କେତ ତଳେ ଅଛି। ଘାଇ ହୋଇଥିବା ଏବଂ ନଦୀବନ୍ଧ ଦୁର୍ବଳ ଥିବା ସ୍ଥାନରେ ମରାମତି କାମ ଆସନ୍ତାକାଲି କିମ୍ବା ପରଦିନ ଆରମ୍ଭ ହେବ। ଗତ ୨୪ଘଣ୍ଟା ମଧ୍ୟରେ ବଂଶଧାରା, ନାଗାବଳୀ ଓ କୋଲାବରେ ଅଧିକ ବର୍ଷା ହୋଇଛି। ଋଷିକୁଲ୍ୟା, ତେଲ, ମହାନଦୀ ଉପରମୁଣ୍ଡ, ସୁବର୍ଣ୍ଣରେଖା, ବୈତରଣୀ, ବ୍ରାହ୍ମଣୀ, ବୁଢ଼ାବଳଙ୍ଗ ଅବବାହିକାରେ ବର୍ଷା ହୋଇନି। ଅନ୍ୟ କୌଣସି ନଦୀର ଅବବାହିକାରେ ବର୍ଷା ହୋଇ ନଥିବାରୁ ବନ୍ୟା ସ୍ଥିତି ନାହିଁ। ବ୍ରାହ୍ମଣୀ ବଢ଼ିବାରେ ଲାଗିଛି। ସନ୍ଧ୍ୟା ୬ଟା ସୁଦ୍ଧା ଜେନାପୁରରେ ବିପଦ ସଙ୍କେତ ୨୩ମିଟର ଥିବାବେଳେ ୨୧.୫୯ମିଟରରେ ଜଳ ପ୍ରବାହିତ ହେଉଛି। ଇନ୍ଦୁପୁରରେ ବିପଦ ସଙ୍କେତ ୮.୨୩ ମିଟର ଥିବାବେଳେ ୬.୪୮ମିଟରରେ ଜଳ ପ୍ରବାହିତ ହେଉଛି।
Powered by Froala Editor