ଆସୁଛି ପୁଣି ଏକ ଲଘୁଚାପ: ୨୬ରୁ ୨୯ ପର୍ଯ୍ୟନ୍ତ ପ୍ରବଳ ବର୍ଷା

ଭୁବନେଶ୍ବର : ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪୮ଘଣ୍ଟା ମଧ୍ୟରେ ସେହି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୨୬ରୁ ୨୯ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। କିଛି ସ୍ଥାନରେ ପ୍ରବଳ, ଆଉ କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାୟଗଡ଼ା ଓ ଗଜପତି ଜିଲାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ଘଣ୍ଟା ପ୍ରତି ଝଟକା ପବନ ୩୦ରୁ ୪୦କି.ମି. ବେଗରେ ବହିପାରେ। ଏଥିସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ଏହି ଦୁଇଟି ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ କମଳା ସତର୍କ ସୂଚନା ଜାରି କରାଯାଇଛି। ସେହିପରି କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼ ଏବଂ ମାଲକାନଗିରି ଜିଲାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଏବଂ ଘଣ୍ଟାପ୍ରତି ଝଟକା ପବନ ୩୦ରୁ ୪୦କି.ମି. ବେଗରେ ବହିପାରେ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା ଏବଂ ବଲାଙ୍ଗିର ଜିଲାର କିଛି ସ୍ଥାନରେ ୩୦ରୁ ୪୦କି.ମି. ବେଗରେ ପବନ ବହିବା ସହ ବଜ୍ରପାତର ସମ୍ଭାବନା ରହିଛି। ଉପରୋକ୍ତ ଜିଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି।
Powered by Froala Editor