ରାଜଘାଟରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳ

ଭୁବନେଶ୍ବର: ଲଘୁଚାପ ବର୍ଷା ପ୍ରଭାବରେ ବୈତରଣୀ ଏବଂ ସୁବର୍ଣ୍ଣରେଖାରେ ବନ୍ୟା ଆସିଛି। ବାଲେଶ୍ବର, ଭଦ୍ରକ ଏବଂ ଯାଜପୁର ଜିଲାର ତଳିଆ ଅଞ୍ଚଳ ଗାଁଗୁଡ଼ିକରେ ବନ୍ୟାପାଣି ପଶିଛି। ସୋମବାର ସନ୍ଧ୍ୟା ୬ଟା ସୁଦ୍ଧା ବୈତରଣୀ ଆଖୁଆପଦାରେ ବିପଦ ସଙ୍କେତ ଉପରେ ରହିଥିବାବେଳେ ଆନନ୍ଦପୁରରେ ବିପଦ ସଙ୍କେତ ତଳକୁ ଖସିଛି। ଭଦ୍ରକ ଜିଲାର ଧାମନଗର ଏବଂ ଯାଜପୁର ଜିଲାର ଦଶରଥପୁର ଅଞ୍ଚଳରେ ବନ୍ୟା ସ୍ଥିତି ଉଦ୍ବେଗଜନକ ରହିଛି। ସୁବର୍ଣ୍ଣରେଖାରେ ବିପଦ ଟଳିନାହିଁ। ଜାମଶୋଳାଘାଟ ଓ ରାଜଘାଟରେ ବିପଦ ସଙ୍କେତ ଉପରେ ରହିଛି ସୁବର୍ଣ୍ଣରେଖା। ବ୍ରାହ୍ମଣୀ ଏବଂ ବଂଶଧାରା ବଢ଼ୁଛି। ସୁବର୍ଣ୍ଣରେଖା ଓ ବୈତରଣୀ ଜଳସ୍ତର ଆଜି ବିପଦ ସଙ୍କେତ ତଳକୁ ଖସିବାର ସମ୍ଭାବନା ଥିବାବେଳେ ବର୍ଷା ପ୍ରଭାବରେ ସୁବର୍ଣ୍ଣରେଖା ବଢ଼ିବ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, କାଣୀରେ ୩୦ମିଟର ଘାଇ ହୋଇଛି। ପାଣି କମିଲେ ମରାମତି ଆରମ୍ଭ ହେବ। ସୋମବାର ସନ୍ଧ୍ୟା ୬ଟା ସୁଦ୍ଧା ବୈତରଣୀରେ ଆଖୁଆପଦାଠାରେ ବିପଦ ସଙ୍କେତ ୧୮.୩୩ ମିଟର ଥିବାବେଳେ ୧୮.୩୪ ମିଟରରେ ଜଳ ପ୍ରବାହିତ ହେଉଥିଲା। ଆନନ୍ଦପୁରରେ ବିପଦ ସଙ୍କେତ ୩୮.୩୬ମିଟର ଥିବାବେଳେ ୩୬.୩୫ମିଟରରେ ପ୍ରବାହିତ ହେଉଛି।
ଉଭୟ ସ୍ଥାନରେ ବୈତରଣୀ ଖସୁଛି। ଜାମଶୋଳା ଘାଟରେ ସୁବର୍ଣ୍ଣରେଖା ବିପଦ ସଙ୍କେତ ୪୯.୧୬ମିଟର ଥିବାସ୍ଥଳେ ୫୦.୬୮ମିଟରରେ ଜଳ ନିଷ୍କାସିତ ହେଉଛି। ରାଜଘାଟରେ ବିପଦ ସଙ୍କେତ ୧୦.୩୩ମିଟର ଥିବାବେଳେ ୧୦.୫୫ ମିଟରରେ ଜଳ ପ୍ରବାହିତ ହେଉଛି। ବ୍ରାହ୍ମଣୀ ଏବଂ ବଂଶଧାରା ଜଳସ୍ତର ବଢ଼ୁଛି। ବ୍ରାହ୍ମଣୀ ଜେନାପୁରରେ ବିପଦ ସଙ୍କେତ ୨୩ମିଟର ଥିବାବେଳେ ୨୧.୪୫ମିଟରରେ ଜଳ ପ୍ରବାହିତ ହେଉଛି। ଇନ୍ଦୁପୁରରେ ବିପଦ ସଙ୍କେତ ୮.୨୩ମିଟର ରହିଛି ଏବଂ ୪.୯୮ମିଟରେ ବନ୍ୟାଜଳ ନିଷ୍କାସିତ ହେଉଛି। ବଂଶଧାରା କାଶିପୁରରେ ବିପଦ ସଙ୍କେତ ୫୪.୬୯ମିଟର ଥିବାବେଳେ ୫୨.୯୩ ମିଟରରେ ପ୍ରବାହିତ ହେଉଛି।
ହୀରାକୁଦରେ ୧୨ଟି ଫାଟକ ଖୋଲିଛି। ରାତି ୯ଟା ସୁଦ୍ଧା ଜଳଭଣ୍ଡାର ଜଳସ୍ତର ୬୨୧.୬୦ଫୁଟ୍ ରହିଛି। ପ୍ରତି ସେକେଣ୍ଡରେ ଉପରମୁଣ୍ଡରୁ ୨ଲକ୍ଷ ୧୧ ହଜାର ୦୭୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୨ଲକ୍ଷ ୨୨ ହଜାର ୧୨୧ କ୍ୟୁସେକ୍ ୧୨ଟି ଫାଟକ, ପାୱାର ଚ୍ୟାନେଲ ଏବଂ କେନାଲଗୁଡ଼ିକ ଦ୍ବାରା ନିଷ୍କାସିତ ହେଉଛି। ଏହି ସମୟରେ ମହାନଦୀର ମୁଣ୍ଡଳିରେ ୨ଲକ୍ଷ ୦୫ ହଜାର ୭୨୮ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବାବେଳେ ବରମୂଳ ୨ଲକ୍ଷ ୬୨ ହଜାର କ୍ୟୁସେକ୍ ଏବଂ ଖଇରମାଳରେ ୩ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା। ତେବେ ମହାନଦୀରେ ବନ୍ୟା ଆସିବ ନାହିଁ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
Powered by Froala Editor