କ୍ୟାବିନେଟ୍ ବୈଠକରେ ୪ଟି ପ୍ରସ୍ତାବକୁ ଅନୁମୋଦନ

ସୋମବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ୪ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଥିଲେ। ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ୩ଟି ବିଭାଗର ୪ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ବୈଠକ ପରେ ଏହି ସୂଚନା ଦେଇଛନ୍ତି।
ଇଲେକ୍ଟ୍ରୋନିକ୍ ଓ ଆଇଟି ବିଭାଗର ୨ଟି ଏବଂ ସଂସଦୀୟ ବ୍ୟାପାର ଓ ସାଧାରଣ ପ୍ରଶାସନ (GA) ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବ ପାରିତ ହୋଇଛି। ସେପ୍ଟେମ୍ବର ୧୮ରୁ ବିଧାନସଭା ଅଧିବେଶନ ଆରମ୍ଭ ଏବଂ ଓଡ଼ିଶା ଲୋକସେବା ଆୟୋଗର ୩ ସଦସ୍ୟଙ୍କ ନିଯୁକ୍ତି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।
ଏହା ସହ ଇଲେକ୍ଟ୍ରୋନିକ୍ କମ୍ପୋନେଣ୍ଟ ମାନ୍ୟୁଫାକ୍ଚରିଂ ପଲିସିକୁ ଅନୁମୋଦନ କରାଯାଇଛି, ଯେଉଁଥିରେ ୧୦ଟି ମେଗା ପ୍ରକଳ୍ପ ପାଇଁ କ୍ୟାପିଟାଲ ସବସିଡି ଓ ଟର୍ଣ୍ଣଓଭର ଇନସେଣ୍ଟିଭ ପ୍ରଦାନ କରାଯିବ। ଏହା ଓଡ଼ିଶାକୁ ଇଲେକ୍ଟ୍ରୋନିକ୍ ମାନ୍ୟୁଫାକ୍ଚରିଂରେ ଅଗ୍ରଣୀ ରାଜ୍ୟ କରିବ। ନୂଆ ଆଇଟି ପଲିସିକୁ ମଧ୍ୟ ଅନୁମୋଦନ କରାଯାଇଛି, ଯେଉଁଥିରେ କ୍ୟାପିଟାଲ ସବସିଡି ୩୦%କୁ ବୃଦ୍ଧି କରାଯାଇଛି ଏବଂ ଉପରିସୀମା ଉଠାଇ ଦିଆଯାଇଛି।
କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, କ୍ୟାବିନେଟ ବୈଠକରେ ମୋଟ ୩ଟି ବିଭାଗର ୪ଟି ପ୍ରସ୍ତାବ ନେଇ ଆଲୋଚନା କରାଯାଇଥିଲା।
Powered by Froala Editor