ବୈତରଣୀରେ ବନ୍ୟା: ୪ ପଞ୍ଚାୟତରେ ଛୁଟି ଘୋଷଣା

ଭଦ୍ରକ : ଲଘୁଚାପ ଯୋଗୁଁ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ବୈତରଣୀରେ ବନ୍ୟା ପାଇଁ ସ୍କୁଲ୍ , ଅଙ୍ଗନବାଡ଼ି ବନ୍ଦ ରହିଛି। ଧାମନଗର ବ୍ଲକର ହସନାବାଦ, ଅର୍ଜୁନପୁର, ପଧାନୀ ଓ ସୋହଡା ପଞ୍ଚାୟତରେ ଛୁଟି ଘୋଷଣା ହୋଇଛି। ସ୍କୁଲ ଏବଂ ଅଙ୍ଗନବାଡି ଗୁଡିକରେ ବନ୍ୟା ପାଣି ପଶିଯାଇଛି। ଏଣୁ ଦୁଇଦିନ ପାଇଁ ଭଦ୍ରକ ଜିଲ୍ଲାପାଳ ୪ ପଞ୍ଚାୟତରେ ଛୁଟି ଘୋଷଣା କରିଛନ୍ତି । ସେପଟେ ପ୍ରବଳ ବର୍ଷା ପାଇଁ ଝାଡ଼ଖଣ୍ଡର ଗାଲୁଡିହ ସ୍ଥିତ ସୁବର୍ଣ୍ଣରେଖା ନଦୀ ବ୍ୟାରେଜର ୧୩ଟି ଫାଟକ ଶନିବାର ଖୋଲି ଦିଆଯାଇଥିଲା। ବ୍ୟାରେଜରୁ ସେକେଣ୍ଡ ପ୍ରତି ୫ ହଜାର କ୍ୟୁସେକ୍ ପାଣି ନିଷ୍କାସିତ ହେବାରୁ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସିଛି। ବାଲେଶ୍ବର ଜିଲା ରାଜଘାଟଠାରେ ନଦୀର ବିପଦ ସଙ୍କେତ ୧୦.୩୬ ମିଟର ଥିବାବେଳେ ଗତକାଲି ସନ୍ଧ୍ୟା ୭ଟା ସୁଦ୍ଧା ଏହାର ଜଳସ୍ରୋତ ୧୧.୨୦ ମିଟରରେ ପ୍ରବାହିତ ହେଉଥିଲା।
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ସୁବର୍ଣ୍ଣରେଖାରେ ଷଷ୍ଠ ଥର ପାଇଁ ବନ୍ୟା ଆସିଛି। ବିପନ୍ନଙ୍କୁ ଉଦ୍ଧାର ଓ ସହାୟତା ପାଇଁ ପ୍ରଶାସନ ସଜାଗ ରହିଥିବାବେଳେ ବିଭିନ୍ନ ସ୍ଥାନରେ ୨୨ଟି ବୋଟ ସହ ଉଦ୍ଧାରକାରୀ ଦଳ ମୁତୟନ ଥିବା ଜଣାଯାଇଛି। ସୁବର୍ଣ୍ଣରେଖାରେ ବନ୍ୟା ପାଇଁ ବାଲେଶ୍ବର ଜିଲାର ଜଳେଶ୍ବର, ବସ୍ତା, ଭୋଗରାଇ ଓ ବାଲିଆପାଳ ବ୍ଲକର ନଦୀ ଅବବାହିକା ଅଞ୍ଚଳର ଲୋକେ ଛାନିଆ ହୋଇପଡ଼ିଛନ୍ତି। ଚଳିତ ବର୍ଷ ସୁବର୍ଣ୍ଣରେଖାରେ ପୂର୍ବରୁ ୫ ଥର ବନ୍ୟା ଆସିଥିବାରୁ ଏହି ୪ଟି ବ୍ଲକର ବିସ୍ତୃତ ଅଞ୍ଚଳର ଲୋକ ବେଶ ହିନସ୍ତା ହୋଇଛନ୍ତି। ବାଲିଆପାଳ ବ୍ଲକର ୮ଟି ପଞ୍ଚାୟତର ୪୦ରୁ ଅଧିକ ଗାଁରେ ପାଣି ପଶିଥିବା ଜଣାଯାଇଛି। ସେହିପରି ଜଳେଶ୍ବର ବ୍ଳକର ୮ଟି ପଞ୍ଚାୟତର ୪୧ଟି ଗାଁରେ ପାଣି ପଶିଛି।
Powered by Froala Editor