ଆଜି ଦିଲ୍ଲୀରେ ବସିବ କଂଗ୍ରେସର ସଙ୍ଗଠନ ସୁଜନ ବୈଠକ

ଭୁବନେଶ୍ବର: ତୃଣମୂଳସ୍ତରରେ ସଙ୍ଗଠନ ସଜାଡ଼ିବା ପାଇଁ ଯୁବବର୍ଗଙ୍କୁ ଜିଲା ସଭାପତି ଦାୟିତ୍ୱ ଦେବ କଂଗ୍ରେସ । ଦଳ ପ୍ରତି ଆନୁଗତ୍ୟ ଏବଂ ସଙ୍ଗଠନ ସଜାଡ଼ିବାର କ୍ଷମତା ଥିବା ଯୁବବର୍ଗ ନେତାଙ୍କୁ ଜିଲା ସଭାପତି ମନୋନୟନ କରିବାକୁ ମାନଦଣ୍ଡ ପ୍ରସ୍ତୁତ କରିଛି ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) । ଜିଲା ସଭାପତି ପଦ ପାଇଁ ପ୍ରାର୍ଥୀଙ୍କ ବୟସ ସୀମା ୫୫ରୁ ୬୦ବର୍ଷ ରଖାଯାଇଥିବା ଜଣାପଡ଼ିଛି। ଓଡ଼ିଶା ପ୍ରଦେଶ କଂଗ୍ରେସ ଜିଲା ସଭାପତି ମନୋନୟନ ନେଇ ସୋମବାର ଦିଲ୍ଲୀରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଅଧକ୍ଷତାରେ ସଙ୍ଗଠନ ସୁଜନ ବୈଠକ ବସିବ। ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧା, ଏଆଇସିସି ସାଧାରଣ ସମ୍ପାଦକ(ସାଙ୍ଗଠନିକ) କେ.ସି.ବେଣୁଗୋପାଳ ବୈଠକରେ ରହିବେ।
ଅନ୍ୟପଟେ ସଙ୍ଗଠନ ସୁଜନ ବୈଠକରେ ଯୋଗଦେବା ପାଇଁ ପିସିସି ସଭାପତି ଭକ୍ତଚରଣ ଦାସ, ପ୍ରଭାରୀ ଅଜୟ ଲବ୍ଧ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଏବଂ ସହର ପ୍ରଭାରୀ ସାହାନଦାନ ଚୌଧୁରୀ ଦିଲ୍ଲୀ ଯାଇଛନ୍ତି । ଓଡ଼ିଶାରେ ସଭାପତି ମନୋନୟନ ପାଇଁ ଏଆଇସିସି ଦ୍ବାରା ନିଯୁକ୍ତ ୩୫ ପର୍ଯ୍ୟବେକ୍ଷକ ବୈଠକରେ ରହିବେ। କୁହାଯାଉଛି, ଦଳରେ ୩ରୁ ୫ବର୍ଷ ଉର୍ଦ୍ଧ୍ବ ସମୟ କାର୍ଯ୍ୟ କରିଥିବା ନେତାଙ୍କୁ ଜିଲା ସଭାପତି କରିବାକୁ ଅଗ୍ରାଧିକାର ଦିଆଯିବ।
ଯେଉଁ ନେତା ନିର୍ବାଚନ ନଲଢ଼ି ସଙ୍ଗଠନ ସଜାଡ଼ିବା ଉପରେ ଆଗ୍ରହୀ ସେହିଭଳି ଯୁବ ନେତାଙ୍କୁ ଜିଲା ସଭାପତି କରିବାକୁ ଗୁରୁତ୍ବ ଦିଆଯିବ। ପର୍ଯ୍ୟବେକ୍ଷକ ୬ଟି ନାମ ଏଆଇସିସିକୁ ସୁପାରିସ କରିବେ । ସେଥିରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ମହିଳା, ପଛୁଆବର୍ଗ ଏବଂ ସାଧାରଣ ବର୍ଗରୁ ଜଣେ ଲେଖାଏଁ ପ୍ରାର୍ଥୀଙ୍କ ନାମ ତାଲିକାରେ ରହିବ। ଏଥରୁ ଏଆଇସିସି ଜଣକୁ ଜିଲା ସଭାପତି ବାଛିବ।
Powered by Froala Editor