ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧିର ରଣନୀତି ବତାଇଲେ ରାଜ୍ୟପାଳ

ଭୁବନେଶ୍ବର : ଆନ୍ଧ୍ରପ୍ରଦେଶ ଭଳି ଓଡ଼ିଶାରେ ସବୁ ସାଧନ ରହିଛି। ମାଛ ଉତ୍ପାଦନ ଓ ରପ୍ତାନି କ୍ଷେତ୍ରରେ ଆନ୍ଧ୍ରପ୍ରଦେଶ ଆଗରେ ରହିଥିବାବେଳେ ମାଛ ଏବଂ ଅଣ୍ଡା ପାଇଁ ଆମକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି)ର ୬୪ତମ ପ୍ରତିଷ୍ଠା ଦିବସରେ ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳାଧିପତି ଡ. ହରିବାବୁ କମ୍ଭମପାଟି ଏନେଇ ଉଦ୍ବେଗ ପ୍ରକାଶ କରିବା ସହ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧିର ରଣନୀତି ବତାଇଛନ୍ତି। ନିଜର ଆନ୍ଧ୍ରପ୍ରଦେଶ ଅଭିଜ୍ଞତା ସମ୍ପର୍କରେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ, ଓଡ଼ିଶାରେ ମାଛ ଉତ୍ପାଦନ ବଢ଼ାଇବାକୁ ଅନେକ ସମ୍ଭାବନା ରହିଛି। ଯେଉଁ ଜମି ଧାନ ଚାଷ ପାଇଁ ବ୍ୟବହୃତ ହେଉଛି, ତାହାକୁ ମାଛ ପୋଖରୀର ପରିଣତ କରାଯାଇପାରିବ। ଭଦ୍ରକ ଜିଲା ଗସ୍ତର ଉଦାହରଣ ଦେଇ କହିଲେ, ସେ ଯାଇଥିବା କୌଣସି ବି ଜାଗାରେ ମାଛ ପୋଖରୀ ଦେଖିବାକୁ ପାଇଲେନି। ହେଲେ ସବୁଠି ଧାନ ଚାଷ ଦେଖିବାକୁ ମିଳିଲା। କେବଳ ଧାନ ଚାଷ କରି ଜଣେ ଚାଷୀ କେତେଟଙ୍କା ଆୟ କରିପାରିବ? ଯଦି ସେହି ଜମିକୁ ମାଛ ପୋଖରୀରେ ପରିଣତ କରାଯାଏ, ତା’ହେଲେ ଉକ୍ତ ଚାଷୀର ଆୟ କେତେ ହେବ? ଯଦି ଚାଷୀ ଜାଣିପାରିବ ଯେ, ଧାନ ଚାଷ ଅପେକ୍ଷା ମାଛ ଚାଷରେ ଅଧିକ ଆୟ ହୋଇପାରିବ, ତା’ହେଲେ ଆମକୁ ଆଉ ବୁଝାଇବାକୁ ପଡ଼ିବନି। ସେମାନେ ନିଜେ ମାଛ ଚାଷ ପ୍ରତି ଆକୃଷ୍ଟହେବେ। ରାଜ୍ୟରେ ମାଛ ଉତ୍ପାଦନ ବଢ଼ିପାରିବ। ସରକାର ଏ ଦିଗରେ ପଦକ୍ଷେପ ନେବା ସହ ପ୍ରକଳ୍ପ ପ୍ରୋଫାଇଲ ପ୍ରସ୍ତୁତ କରିବାକୁ ରାଜ୍ୟପାଳ ଓୟୁଏଟିକୁ ପରାମର୍ଶ ଦେଇଥିଲେ। ବିଭିନ୍ନ ପ୍ରକାର କୃଷି ଉଦ୍ୟୋଗ ନିମନ୍ତେ ବ୍ୟୟ ଆକଳନ, ଜମି ଓ ବିଦ୍ୟୁତର ଆବଶ୍ୟକତା, ଆୟ ଆକଳନ ଏବଂ ବିଭିନ୍ନ ରିଆତି ଯୋଜନା ସମ୍ପର୍କରେ ତଥ୍ୟ ରଖି ପ୍ରକଳ୍ପ ପ୍ରୋଫାଇଲ୍ ପ୍ରସ୍ତୁତ କରିବାକୁ ରାଜ୍ୟପାଳ କହିଥିଲେ। ସେହିପରି ଅଣ୍ଡା ପାଇଁ ବି ଓଡ଼ିଶାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ଗ୍ରାମାଞ୍ଚଳ ମହିଳା ଏବଂ ସବୁ ପରିବାର କୁକୁଡ଼ା ରଖିଲେ ସେମାନଙ୍କୁ ଅନ୍ୟ କେଉଁଠିକୁ ଯିବାକୁ ପଡ଼ିବନି। ଏଥିପାଇଁ ସେମାନଙ୍କୁ ଉତ୍ସାହିତ କରିବା ସହ ଅର୍ଥନୈତିକ ମଡେଲ ବିକଶିତ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ।
ବିଶ୍ବବିଦ୍ୟାଳୟର ଉପକୁଳାଧିପତି ତଥା କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ, ରାଜ୍ୟରେ କୃଷି କ୍ଷେତ୍ରରେ ଅଗ୍ରଣୀ ହେବାକୁ ପଡ଼ିବ। ଆମ ରାଜ୍ୟ ରପ୍ତାନୀ କ୍ଷେତ୍ରରେ ସବୁଠୁ ଆଗରେ ରହିବାକୁ ଓୟୁଏଟିର ଚେଷ୍ଟା ରହିବା ଆବଶ୍ୟକ। ଏହି ଅବସରରେ ଓୟୁଏଟିର ୧୧ ଜଣ ଶିକ୍ଷକ ଓ ବୈଜ୍ଞାନିକ, ଛାତ୍ରଛାତ୍ରୀ, କର୍ମଚାରୀ ଓ ୩୩ ଜଣ ଅଗ୍ରଣୀ କୃଷକଙ୍କୁ ପୁରସ୍କୃତ କରାଯାଇଛି। ଅତିଥିଙ୍କ ଦ୍ୱାରା ଓୟୁଏଟି କ୍ୟାମ୍ପସ ୱାଇଫାଇ ସେବାର ଶୁଭାରମ୍ଭ ସହ ୭ଟି ପୁସ୍ତକ ଉନ୍ମୋଚନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଶିକ୍ଷା ଓ ସମ୍ପ୍ରସାରଣ ନିର୍ଦେଶାଳୟର ଅଧ୍ୟକ୍ଷ ପ୍ରଫେସର ପ୍ରସନଜିତ ମିଶ୍ର ସ୍ବାଗତ ଭାଷଣ ଦେଇଥିବାବେଳେ ବିଶ୍ବବିଦ୍ୟାଳୟ କୁଳସଚିବ ପ୍ରତିଭା ଦୋରା ଧନ୍ୟବାଦ ଦେଇଥିଲେ। ପ୍ରଫେସର ମଧୁଲିକା ପଣ୍ଡା ଓ ଡ. ଚକ୍ରଧର ପାତ୍ର ମଞ୍ଚ ପରିଚାଳନା କରିଥିଲେ।
Powered by Froala Editor