୨୮ ପର୍ଯ୍ୟନ୍ତ ତୁହାକୁ ତୁହା ବର୍ଷିବ ବର୍ଷା

ଭୁବନେଶ୍ବର : ଆସନ୍ତା ୪୮ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସମ୍ଭାବ୍ୟ ଲଘୁଚାପ ଉପକୂଳ, ଉତ୍ତର, ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଜିଲାଗୁଡ଼ିକରେ ତୁହାକୁ ତୁହା ବର୍ଷିବ। ଉତ୍ତର ବଙ୍ଗୋପସାଗର ଏବଂ ଉପକୂଳ ଓଡ଼ିଶାରେ ଘଣ୍ଟା ପ୍ରତି ପବନର ବେଗ ୪୦ରୁ ୫୦କି.ମି. ଓ ସ୍ଥଳବିଶେଷରେ ୬୦କି.ମି. ପର୍ଯ୍ୟନ୍ତ ଛୁଇଁପାରେ। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସୃଷ୍ଟ ଲଘୁଚାପ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଏବଂ ଏହାର
ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ, ସମ୍ଭାବ୍ୟ ଲଘୁଚାପ ସୋମବାର ଓ ମଙ୍ଗଳବାର ଉତ୍ତର ଓ ଉପକୂଳବର୍ତ୍ତୀ ଜିଲାଗୁଡ଼ିକ ମଧ୍ୟରୁ କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାକୁ ଥିବାବେଳେ ଆଉ କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବ। ଅଗଷ୍ଟ ୨୮ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ କେନ୍ଦ୍ରାପଡ଼ା ଜଗତସିଂହପୁର ଜିଲାର କିଛି ଅଞ୍ଚଳରେ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏହି ଦୁଇଟି ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଏବଂ ଭଦ୍ରକ ଜିଲାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି ହୋଇଛି। ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୮ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା କରାଯାଇଛି।
Powered by Froala Editor