୮ଟି ଫାଟକ ଖୋଲାଯାଇ ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ଜାରି

ହୀରାକୁଦ: ଉପରମୁଣ୍ଡରେ ବର୍ଷା ପରେ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ବୃଦ୍ଧି ପାଇଛି। ତେଣୁ ଆଜି ଦୁଇଟି ପର୍ଯ୍ୟାୟରେ ୮ଟି ଫାଟକ ଖୋଲାଯାଇ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ଗତକାଲି ରାତି ୯ଟାରେ ଜଳଭଣ୍ଡାରର ଜଳସ୍ତର ୬୧୮.୮୫ ଫୁଟ ଥିବାବେଳେ ଶନିବାର ରାତି ୯ଟା ସୁଦ୍ଧା ଜଳସ୍ତର ୬୨୧.୩୩ ଫୁଟକୁ ପହଞ୍ଚିଥିଲା। ଲଘୁଚାପ ନେଇ ପାଣିପାଗ ବିଭାଗର ସତର୍କ ସୂଚନା ପରିପ୍ରେକ୍ଷୀରେ ଅତିରିକ୍ତ ଫାଟକ ଖୋଲାଯାଇପାରେ ବୋଲି ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ। ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଛି। ଶନିବାର ସକାଳ ୮ଟାରୁ ସତର୍କ ଘଣ୍ଟି ବାଜିଲା ପରେ ପୂର୍ବାହ୍ନ ୧୦ ଟାରେ ୪ଟି ଫାଟକ ଏବଂ ଅପରାହ୍ନ ୪ଟା ୩୦ରେ ପୁଣି ଅତିରିକ୍ତ ୪ଟି ଫାଟକ ଖୋଲାଯାଇଥିଲା। ବନ୍ଧ ବାମପାର୍ଶ୍ବର ୫ଟି ଓ ଡାହାଣ ପାର୍ଶ୍ବର ୩ଟି ଏହିପରି ମୋଟ ୮ଟି ଫାଟକ ଦେଇ ସେକେଣ୍ଡ ପିଛା ୧,୨୬,୧୫୨ ଘନଫୁଟ ଜଳ ନିଷ୍କାସିତ ହେଉଛି।
Powered by Froala Editor