ସେପ୍ଟେମ୍ବର ୪ରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରଉ କରିବ କଂଗ୍ରେସ
ଭୁବନେଶ୍ୱର : ‘ଭୋଟ୍ ଚୋରି’ ପ୍ରସଙ୍ଗରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କରିଥିବା ପର୍ଦାଫାସ୍କୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ନିଆଯିବ। ସେପ୍ଟେମ୍ବର ୪ରେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ କାର୍ଯ୍ୟାଳୟ ଘେରଉ କରାଯିବ ବୋଲି କଂଗ୍ରେସ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଭାରତୀୟ ଜାତୀୟ କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜୟ ଲଲ୍ଲୁ ଚାରିଦିନିଆ ଓଡ଼ିଶା ଗସ୍ତରେ ଆସି ଦଳର ସାଙ୍ଗଠନିକ ବୈଠକରେ ଯୋଗଦେଇଥିଲେ। ଏଥିରେ ଦଳର ଆଗାମୀ କାର୍ଯ୍ୟକ୍ରମ ନେଇ ନିଷ୍ପତ୍ତି ନିଆଯାଇଛି। ରାଜନୈତିକ ବ୍ୟାପାର କମିଟି ବୈଠକରେ ପ୍ରଭାରୀ ଶ୍ରୀ ଲଲ୍ଲୁ କହିଥିଲେ, ନିକଟରେ ବିହାରର ‘ଭୋଟ୍ ଚୋରି ରାଲି’ ପରି ଏକ ବଡ଼ ରାଲି ଓଡ଼ିଶାରେ କରାଯିବ। ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସଙ୍କ ଅଧ୍ୟକ୍ଷତାରେ ବିଭିନ୍ନ କମିଟି ଓ ଛାମୁଆ ସଙ୍ଗଠନଗୁଡ଼ିକର ବୈଠକ ବସିଥିଲା। ସହ ପ୍ରଭାରୀ ଶାହନୱାଜ ଚୌଧୁରୀ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ୍, ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା, ଶରତ ରାଉତ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ସାମାଜିକ ନ୍ୟାୟ କମିଟି ପକ୍ଷରୁ ସଂଗୃହୀତ ତଥ୍ୟ ପିସିସି ସଭାପତି ଶ୍ରୀ ଦାସଙ୍କୁ ପ୍ରଦାନ କରାଯାଇଥିଲା। ବିଧାୟକ ଓ ସାଂସଦ ପ୍ରାର୍ଥୀମାନେ ନିଜ ଅଞ୍ଚଳରେ ମାସକୁ ଅନ୍ୟୂନ ୨୦ଦିନ ରହି ତୃଣମୂଳସ୍ତରରେ ସଂଗଠନକୁ ସୁଦୃଢ଼ କରିବା ସହ ଭୋଟ ଜାଲିଆତି ସମ୍ପର୍କରେ ସଚେତନ କରାଇବେ। ପିସିସି ପଦାଧିକାରୀ ବିଭିନ୍ନ ଜିଲା ଗସ୍ତ କରି ବ୍ଲକ ଏବଂ ବୁଥ୍ ସ୍ତରୀୟ କମିଟି ଗଠନ କରିବା ସହ ଭୋଟ୍ ଚୋରି ପ୍ରସଙ୍ଗକୁ ଘରେ ଘରେ ପହଞ୍ଚାଇବା ନେଇ ନକ୍ସା ପ୍ରଦାନ କରିବେ। ପ୍ରତି ବ୍ଲକରୁ ଅନ୍ୟୂନ ୧୦ ଜଣଙ୍କୁ କଂଗ୍ରେସ କାର୍ଯ୍ୟରେ ନିୟୋଜିତ କରାଯିବ।
Powered by Froala Editor