ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟଣା: ଭିଡିଓ ପ୍ରଘଟ କରିଥିବା ବ୍ୟକ୍ତିଙ୍କୁ ଖୋଜୁଛି ପୁଲିସ
ପୁରୀ: ବଳଙ୍ଗା ପୀଡ଼ିତା ଡାକ୍ତରଖାନାରେ ଯନ୍ତ୍ରଣାରେ ଛଟପଟ ହୋଇ ୧୯ ଦିନ ପରେ ମୃତ୍ୟୁବରଣ କଲେ କିନ୍ତୁ ତାଙ୍କ ଦେହରେ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିବା ଅଭିଯୁକ୍ତଙ୍କୁ ଗିରଫ କରିପାରିଲାନି ପୁଲିସ। ଘଟଣାରେ କାହାର ସମ୍ପୃକ୍ତି ନ ଥିବା ଦର୍ଶାଇ ପୁଲିସ ନିଜ ଦାୟିତ୍ବ ସାରି ଦେଇଥିବା ବେଳେ ମୃତ୍ୟୁର ସାତଦିନ ପରେ ପ୍ରଘଟ ହୋଇଥିବା ଭିଡ଼ିଓ ପ୍ରକୃତ ରହସ୍ୟ ଲୋକଲୋଚନକୁ ଆଣିଛି। ଘଟଣାରେ କିଛି ଦୁର୍ବୃତ୍ତ ସମ୍ପୃକ୍ତ ଥିବା ନାବାଳିକାଙ୍କ ବୟାନରୁ ସ୍ପଷ୍ଟ ହୋଇଛି।
ନାବାଳିକା ଭୁବନେଶ୍ବର ଓ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ପୁଲିସ ଚାରିଥର ତାଙ୍କ ବୟାନ ରେକର୍ଡ କରିଥିଲା। ତିନିଥର ଦିଲ୍ଲୀ ଏମ୍ସରେ ଏବଂ ଥରେ ଭୁବନେଶ୍ବର ଏମ୍ସରେ ତାଙ୍କ ବୟାନ ରେକର୍ଡ ହୋଇଥିବା ଜଣାପଡ଼ିଛି। ନ୍ୟାୟ ଯୁଦ୍ଧରେ ଜଣେ ୧୬ ବର୍ଷର ନାବାଳିକା ହାରିଗଲେ। ଶେଷରେ ତାଙ୍କ ବାପା ମଧ୍ୟ ବୟାନ ବଦଳାଇ ଦେଲେ। ଗୋଟିଏ ଶନିବାର ତାଙ୍କ ଉପରେ ନିଆଁ ଲଗାଇ ଦିଆଯାଇଥିଲା। ଆଉ ଏକ ଶନିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏବେ ଆଉ ଏକ ଶନିବାର ତିନିଦିନ ତଳେ ତାଙ୍କ ବୟାନ ରେକର୍ଡ ସମୟର ଭିଡିଓ ପ୍ରଘଟ ହୋଇଛି। ଏହାସତ୍ତ୍ୱେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା କିମ୍ବା ତଦନ୍ତକୁ ପୁଣିଥରେ ଆଗେଇ ନେବା ପରିବର୍ତ୍ତେ ଭିଡିଓ ପ୍ରଘଟ କରିଥିବା ବ୍ୟକ୍ତିଙ୍କୁ ଖୋଜୁଛି। କେଉଁ ପରିସ୍ଥିତିରେ ତଦନ୍ତ ହଠାତ୍ ବନ୍ଦ କରି ଦିଆଗଲା ଜଣା ପଡୁନାହିଁ।
ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର କହିଛନ୍ତି ପ୍ରଘଟ ଭିଡିଓକୁ ଭିତ୍ତିକରି କ୍ରାଇମବ୍ରାଞ୍ଚ ଓ ପୁଲିସ ତଦନ୍ତ ଆରମ୍ଭ କରିଛି। ପୀଡ଼ିତାଙ୍କ ବୟାନ ସମେତ ମାମଲା ସମ୍ପର୍କିତ ସମସ୍ତ କାଗଜପତ୍ର କୋର୍ଟରେ ଖୁବ୍ଶୀଘ୍ର ଦାଖଲ କରାଯିବ। ନାବାଳିକା ପୀଡ଼ିତାଙ୍କ ପରିଚୟ ସର୍ବସାଧାରଣରେ ପ୍ରକାଶ କରିବା ଦଣ୍ଡନୀୟ ଅପରାଧ। ଯେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ଆଇନ ଅନୁଯାୟୀ ଦଣ୍ଡିତ ହେବେ। ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ଭିଡ଼ିଓ କ୍ଲିପ୍ର ସତ୍ୟତା ଜାଣିବା ପାଇଁ କ୍ରାଇମବ୍ରାଞ୍ଚର ସାଇବର୍ ସେଲ୍ ତଦନ୍ତ କରୁଥିବା ସେ କହିଛନ୍ତି।
Powered by Froala Editor