ସମ୍ବଲପୁରରେ ସ୍ଥାପନ ହେବ ରାଜ୍ୟର ଦ୍ବିତୀୟ କୃଷି ବିଶ୍ବବିଦ୍ୟାଳୟ
ଭୁବନେଶ୍ୱର: ସମ୍ବଲପୁରରେ ପ୍ରତିଷ୍ଠା ହେବ ରାଜ୍ୟର ଦ୍ବିତୀୟ କୃଷି ବିଶ୍ବବିଦ୍ୟାଳୟ। କୃଷି ଓ ଆନୁଷଙ୍ଗିକ ବିଜ୍ଞାନରେ ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ସ୍ନାତକ ଓ ସ୍ନାତକୋତ୍ତର ସୃଷ୍ଟି କରିବା, କୃଷି ଉତ୍ପାଦନ ବୃଦ୍ଧି ଓ ଲାଭଦାୟକ କୃଷି ପ୍ରଣାଳୀ ବିକଶିତ କରିବାରେ ଏହି ବିଶ୍ବବିଦ୍ୟାଳୟ ସ୍ଥାପନର ମୁଖ୍ୟ ଉଦ୍ଦେଶ୍ୟ ରହିବ। ସୋମବାର ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ କୃଷି ବିଶ୍ୱ ବିଦ୍ୟାଳୟ ପ୍ରସ୍ତାବ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି।
ସୂଚନା ଅନୁସାରେ କେନ୍ଦ୍ର କୃଷି ବିଶ୍ୱ ବିଦ୍ୟାଳୟ ଅଧିନିୟମ, ୧୯୯୨ ଅନୁଯାୟୀ ସମ୍ବଲପୁରରେ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ଖୋଲିବା ପାଇଁ ପ୍ରସ୍ତାବ ଉପରେ ବୈଠକରେ ଆଲୋଚନା କରାଯାଇଛି। ଏହି ପ୍ରସ୍ତାବିତ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ଓଡ଼ିଶା ପାଇଁ ଏକ ପରିବର୍ତ୍ତନକାରୀ ହେବ ଏବଂ କୃଷି ଗବେଷଣାକୁ ଆଗକୁ ବଢ଼ାଇବା ସହିତ ଚାଷୀଙ୍କୁ ସଶକ୍ତ କରିବ। ବୈଠକରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତି ଡ. ପ୍ରଭାତ କୁମାର ରାଉଳ ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ପ୍ରସ୍ତାବ ଉପରେ ମତାମତ ଉପସ୍ଥାପନ କରିଥିଲେ।
Powered by Froala Editor